ରାୟଗଡ଼ା: ଦୁଇ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁ ମାମଲା (Russian Tourists Death)। ରାୟଗଡାରେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଞ୍ଚ ଟିମ । ରାୟଗଡ଼ା ଶିରୀଗୁଡା ଶ୍ମଶାନରେ ପହଞ୍ଚି ମୃତ ଆଣ୍ଟୋଭଙ୍କ ମୃତଦେହ ଦାହ ସ୍ଥାନରୁ ନମୁନା ସଂଗ୍ରହ କଲା କ୍ରାଇମବ୍ରାଞ୍ଚ ଟିମ । ସାଇଣ୍ଟିଫିକ ଟିମ ସାହାଯ୍ୟରେ ନମୁନା ସଂଗ୍ରହ କରିଛି କ୍ରାଇମବ୍ରାଞ୍ଚ । ଏଥିସହ ହୋଟେଲରେ 10 ଜଣ କର୍ମଚାରୀଙ୍କୁ ଜେରା ପାଇଁ ନୋଟିସ୍ କରିଛି କ୍ରାଇମବ୍ରାଞ୍ଚ ।
ଶିରିଗୁଡା ଶ୍ମଶାନରେ କ୍ରାଇମବ୍ରାଞ୍ଚ
ଆଜି ତଦନ୍ତର ଦ୍ବିତୀୟ ଦିନରେ କ୍ରାଇମବ୍ରାଞ୍ଚ ଡିଏସପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ୱରେ ଆସିଥିବା ୧୦ ଜଣିଆ ଟିମ୍ ରାୟଗଡା ଥାନା ଓ ଶିରିଗୁଡା ଶ୍ମଶାନ ଯାଇ ଅନୁସନ୍ଧାନ କରିଥିଲେ । ଏଥିରେ ସାଇଣ୍ଟିଫିକ ଓ ଫରେନସିକ ଟିମ୍ ମଧ୍ୟ ରହିଛନ୍ତି । କ୍ରାଇମବ୍ରାଞ୍ଚ ଅଧିକାରୀ ସ୍ଥାନୀୟ ପୋଲିସ ସହିତ ମଧ୍ୟରେ ସାକ୍ଷାତ କରି ସବିଶେଷ ତଥ୍ୟ ସଂଗ୍ରହ କରିଛନ୍ତି । ଶ୍ମଶାନରେ ଦୁଇ ମୃତକଙ୍କ ପାଉଁଶରୁ ହାଡ ଓ ଶରୀରର ଅନ୍ୟ ଅଂଶ ସଂଗ୍ରହ କରାଯାଇଛି । ତେବେ କ୍ରାଇମବ୍ରାଞ୍ଚ ପାଉଁଶ ତଳୁ ଋଷ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ଏକପ୍ରକାର ଖିଅ ଖୋଜୁଥିବା ପରିଲକ୍ଷିତ ହୋଇଛି । ତେବେ ଆଜି ପୁନର୍ବାର କ୍ରାଇମବ୍ରାଞ୍ଚ ଟିମ୍ ଘଟଣାସ୍ଥଳ ହୋଟେଲରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ହୋଟେଲରେ ରୁମ ନମ୍ବର ୨୦୩ ଓ ୩୦୯ ଯାଇ ଆଉ କିଛି ପ୍ରମାଣ ସଂଗ୍ରହ କରିଛନ୍ତି । ହୋଟେଲର ସମସ୍ତ କର୍ମଚାରୀ ଉପସ୍ଥିତ ରହିବା ପାଇଁ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି । ଘଟଣାର ତଦନ୍ତ ଜାରି ରହିଛି ଯାହା ଆବଶ୍ୟକ ସେ ଅନୁସାରେ ତଦନ୍ତ ଚାଲିଛି ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଏସପି ।
ଏବେବି ମୃତ୍ୟୁ ରହସ୍ୟ ଘେରରେ
ଋଷୀୟ ପର୍ଯ୍ୟଟକ ଭ୍ଲାଦିମିର ବିଦାନୋଭ ଏବଂ ଆଣ୍ଟୋଭ ପାଭେଲଙ୍କ ରହସ୍ୟଜନକ ମୃତ୍ୟୁ ଉପରୁ ହଟୁନି ପରଦା । ଏହି 2 ଜଣ ଆତ୍ମହତ୍ୟା କରିଛନ୍ତି ନା କେହି ଏମାନଙ୍କୁ ହତ୍ୟା କରିଛି ତାହା ଏବେବି ରହସ୍ୟ ଘେରରେ ରହିଛି । ଏହାକୁ ନେଇ ଗତକାଲି ଠାରୁ କ୍ରାଇମବ୍ରାଞ୍ଚ ଓ ଫରେନସିକ ଲ୍ୟାବର 10 ଜଣିଆ ଟିମ ତଦନ୍ତ ଆରମ୍ଭ କରିଛନ୍ତି । ଗତକାଲି କ୍ରାଇମବ୍ରାଞ୍ଚ ତଦନ୍ତ ସମୟରେ ସାଇ ଇଣ୍ଟରନାସନାଲ ହୋଟେଲ ପରିସରରେ ପାୱେଲଙ୍କ ଏକ ଚପଲ ଜବତ କରିଥିଲା । ଉଭୟ ଭ୍ଲାଦିମିର ଓ ପାୱେଲ ରହୁଥିବା ରୁମକୁ ଯାଞ୍ଚ କରାଯାଇ ରୁମରେ ଥିବା ଏକ କାଚ ଗ୍ଲାସରୁ ଫିଙ୍ଗର ପ୍ରିଣ୍ଟ ସଂଗ୍ରହ କରାଯାଇଥିଲା । ଜେରାର ସମ୍ମୁଖୀନ ହେଉଥିବା ଦୁଇ ଋଷୀୟ ପର୍ଯ୍ୟଟକଙ୍କ ବୟାନର ଭିଡିଓ ରେକର୍ଡ କରଯାଇଥିବା କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।