ଭୁବନେଶ୍ବର/ରାୟଗଡ଼ା: ଋଷୀୟ ପର୍ଯ୍ୟଟକ ଭ୍ଲାଦିମିର ବିଦାନୋଭ ଏବଂ ଆଣ୍ଟୋଭ ପାଭେଲଙ୍କ ରହସ୍ୟଜନକ ମୃତ୍ୟୁ ଉପରୁ ହଟୁନି ପରଦା । ଏହି 2 ଜଣ ଆତ୍ମହତ୍ୟା କରିଛନ୍ତି ନା କେହି ଏମାନଙ୍କୁ ହତ୍ୟା କରିଛି ତାହା ଏବେବି ରହସ୍ୟ ଘେରରେ ରହିଛି । ଆଜି କ୍ରାଇମବ୍ରାଞ୍ଚ ଓ ଫରେନସିକ ଲ୍ୟାବର 10 ଜଣିଆ ଟିମ ତଦନ୍ତ କରିଛନ୍ତି । ଯେଉଁଠାରେ ଏହି 2 ଜଣଙ୍କୁ ପୋଡା ଯାଇଥିଲା ସେଠାରୁ ହାଡ ପାଉଁଶ ସଂଗ୍ରହ କରିଛି ଫରେନସିକ ଟିମ୍ । ତେବେ ଘଟଣାରେ ଅନ୍ତର୍ଜାତୀୟ ଲିଙ୍କ୍ ଥିବାର ସନ୍ଦେହକୁ ବିଚାରକୁ ନେଇ ସିବିଆଇକୁ ତଦନ୍ତ ହସ୍ତାନ୍ତର କରିବା ଜରୁରୀ ବୋଲି ମତ ରଖିଛନ୍ତି ପୂର୍ବତନ ପୋଲିସ ଡିଜି ବିପିନ ବିହାରୀ ମିଶ୍ର ।
'ପୋଡିଦେବା ଦ୍ବାରା ନଷ୍ଟ ହୋଇଯାଇଛି ପ୍ରମାଣ'
2 ଜଣ ଋଷୀୟ ପର୍ଯ୍ୟଟକଙ୍କୁ ପୋଡା ଯାଇଥିବା ସ୍ଥାନରୁ ସଂଗ୍ରହ ହୋଇଥିବା ହାଡ ଓ ପାଉଁଶକୁ ନେଇ ଏହାର ଡିଏନ୍ଏ ଟେଷ୍ଟ ହେବ ବୋଲି ଜଣାପଡ଼ିଛି । ଡିଏନଏ ଟେଷ୍ଟ ରିପୋର୍ଟ ଆସିବା ପରେ ମୃତ୍ୟୁ ଉପରୁ ପରଦା ହଟିବା ଆଶା କରାଯାଉଛି । ଅନ୍ୟପଟେ ଫରେନସିକ ଏକ୍ସପର୍ଟ ମୁରଲୀଧର କୁମାର କହିଛନ୍ତି, "ମୃତଦେହକୁ ପୋଡିଦେବା ଦ୍ବାରା ସମସ୍ତ ପ୍ରମାଣ ନଷ୍ଟ ହୋଇଯାଇଛି । 2 ଜଣ ଋଷୀୟ ପର୍ଯ୍ୟଟକ ଖ୍ରୀଷ୍ଟିଆନ ହୋଇଥିବାରୁ ସେମାନଙ୍କୁ ପୋତିବା କଥା । କିନ୍ତୁ ସେମାନଙ୍କୁ ପୋଡିଦେବା ଦ୍ବାରା ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି ହେବ । କାରଣ ଜଣଙ୍କ ଭିସେରା ରିପୋର୍ଟ ଥିବାବେଳେ ଆଣ୍ଟୋଭ ପାଭେଲଙ୍କ ଭିସେରା ରିପୋର୍ଟ ନାହିଁ । ଯାହା ତଦନ୍ତ ପ୍ରକ୍ରିୟା ତ୍ବରାନ୍ବିତ ହେବାରେ ଅସୁବିଧା ହେବ । ଏପଟେ ଭାରତରେ ଅବସ୍ଥିତ ଋଷ ଦୂତାବାସ ପକ୍ଷରୁ ସ୍ପଷ୍ଟିକରଣରେ କୁହାଯାଇଛି କି ଋଷରେ ପରମ୍ପରା ଅନୁାଯାୟୀ ମୃତଦେହକୁ ଦାହ ସହ କବର ମଧ୍ୟ ଦିଆଯାଏ ।
ରହିଛି ଅନ୍ତର୍ଜାତୀୟ ଲିଙ୍କ !
ସେପଟେ ପୂର୍ବତନ ପୋଲିସ ଡିଜି ବିପିନ ବିହାରି ମିଶ୍ର କହିଛନ୍ତି, "ଏହି ଘଟଣାରେ ଅନ୍ତର୍ଜାତୀୟ ସମ୍ପର୍କ ରହିଥିବା ଅନେକ ସନ୍ଦେହ କରୁଛନ୍ତି । ଋଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଥିବା ବେଳେ ୟୁକ୍ରେନ ସମର୍ଥନରେ ଅଛନ୍ତି ଆମେରିକା ଏବଂ ନାଟୋ ଦେଶ ସମୂହ । ଯଦି ଏହି 2 ପର୍ଯ୍ୟଟକଙ୍କ ମୃତ୍ୟୁ ସହିତ ଅନ୍ତର୍ଜାତୀୟ ସମ୍ପର୍କ ରହିଛି, ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଦେବା କଥା ।" ଯେହେତୁ ସାଂସଦ ଆଣ୍ଟୋଭ ପାଭେଲ ଭ୍ଲାଦିମିର ପୁଟିନଙ୍କ ସମାଲୋଚକ ବୋଲି କୁହାଯାଉଛି, ଏହି ମୃତ୍ୟୁ ସହିତ ଅନ୍ତର୍ଜାତୀୟ ସମ୍ପର୍କକୁ ଏଡାଇ ଦିଆଯାଇପାରିବ ନାହିଁ । ତେଣୁ ସିବିଆଇ ପୁରା ଘଟଣାର ତଦନ୍ତ କରିବା ଆବଶ୍ୟକ ହୋଇପଡ଼ିଛି ।