ରାୟଗଡ଼ା: ସଡ଼କ ଦୁର୍ଘଟଣାରେ ରାୟଗଡ଼ା ଜିଲ୍ଲା ପରିଷଦ ସଭାପତି ପୁରୁଷୋତ୍ତମ ଗମାଙ୍ଗଙ୍କ ମୃତ୍ୟୁ । ପୁରୁଷୋତ୍ତମ ଗତକାଲି ସଂନ୍ଧ୍ୟାରେ ରାୟଗଡ଼ାରୁ ଗୁଣପୁର ଫେରିବା ବାଟରେ ରାମନାଗୁଡ଼ା ବ୍ଲକର ତାଣ୍ଡିକଣା ନିକଟରେ ତାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ତାଣ୍ଡିକଣା ପର୍ଯ୍ୟନ୍ତ ସେ ନିଜ ଇନୋଭା ଗାଡ଼ିରେ ଆସି ସେଠାରୁ ଏକ ବୁଲେଟ ମୋଟର ସାଇକେଲରେ ଗୁଣପୁର ଅଭିମୁଖେ ଯାଉଥିଲେ । ପଛରେ ତାଙ୍କ ଇନୋଭା ମଧ୍ୟ ଆସୁଥିଲା । ତେବେ ତାଣ୍ଡିକଣା ଠାରୁ କିଛି ଦୂର ଗଲାପରେ ହଠାତ ତାଙ୍କ ବୁଲେଟ ଏକ ଗଛରେ ଧକ୍କା ହୋଇଥିଲା ।
ସଡ଼କ ଦୁର୍ଘଟଣାରେ ଜିଲ୍ଲା ପରିଷଦ ସଭାପତିଙ୍କ ପରଲୋକ ଦୁର୍ଘଟଣା ପରେ ତୁରନ୍ତ ତାଙ୍କୁ ପ୍ରଥମେ ରାମନାଗୁଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ପରେ ଗୁଣପୁର ଏବଂ ଶେଷରେ ଆନ୍ଧ୍ରପ୍ରଦେଶର ଶିକାକୁଲମ ଏମସକୁ ନିଆଯାଇଥିଲା । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବୁଧବାର ସକାଳୁ ପୁରୁଷୋତ୍ତମଙ୍କ ପାର୍ଥିବ ଶରୀରକୁ ଗୁଣପୁର ଅଣାଯାଇ ବ୍ୟବଚ୍ଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯାଇଛି ।
ଏକ ବିରାଟ ଶୋଭାଯାତ୍ରାରେ ପୁରୁଷୋତ୍ତମଙ୍କ ମରଶରୀରକୁ ନିଜ ଜନ୍ମମାଟି ରାମନାଗୁଡ଼ା ବ୍ଲକ ଅନ୍ତର୍ଗତ ଅନ୍ତରଝୋଲି ନିଆଯାଇ ଅନ୍ତିମ ସଂସ୍କାର କରାଯିବ । ଏହି ଖବର ପ୍ରସାର ପରେ ସମଗ୍ର ଜିଲ୍ଲାରେ ଗଭୀର ଶୋକ ପ୍ରକାଶ ପାଇଛି । ଜିଲ୍ଲାପାଳ ପ୍ରମୋଦ କୁମାର ବେହେରା, ଏସପି ଶ୍ରବଣ ବିବେକ ଏମ, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ପ୍ରମୁଖ ପହଞ୍ଚି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
ପୁରୁଷୋତ୍ତମ କଂଗ୍ରେସର ଜଣେ ଦକ୍ଷ ସଂଗଠକ ଥିଲେ । ଗତ ଦିନରେ ସେ ଅନେକ ପଦ ପଦବୀରେ ନିର୍ବାଚିତ ହୋଇଥିବାବେଳେ ଚଳିତ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ତାଙ୍କୁ ଗୁଣପୁର ବିଧାନସଭାରୁ ପ୍ରାର୍ଥୀ କରିଥିଲା । ଏପରିକି ଗତ ଜିଲ୍ଲାପରିଷଦ ନିର୍ବାଚନରେ ସେ ବିଜୟ ଲାଭ କରି ଜିଲ୍ଲାପରିଷଦ ସଭାପତି ଭାବେ ମନୋନୀତ ହୋଇଥିଲେ । କିନ୍ତୁ ନିର୍ବାଚନ ସମୟରେ ଭୋଟ ଗ୍ରହଣର ଅନିୟମିତତା ମାମଲାରେ ବିଜେଡ଼ି ଜିଲ୍ଲା ପରିଷଦ ସଭ୍ୟ ଗଙ୍ଗାଧର ପୁଆଲାଙ୍କ ଏକ ମାମଲାର ଶୁଣାଣି କରିଥିଲେ କୋର୍ଟ । ଗତକାଲି ହିଁ ଜିଲ୍ଲା ଜଜ ଜିଲ୍ଲାପରିଷଦ ସଭାପତିକୁ ଅଯୋଗ୍ୟ ଘୋଷଣା କରିଥିଲେ ।
ରାୟଗଡ଼ାରୁ ରଞ୍ଜନ ରଥ, ଇଟିଭି ଭାରତ