ରାୟଗଡ଼ା: ଆଇନ ଶୃଙ୍ଖଳାକୁ ସଜାଡ଼ିବାକୁ ଅଣ୍ଟା ଭିଡ଼ିଲା ଜିଲ୍ଲା ପୋଲିସ । ଜିଲ୍ଲାରେ ଗୁଟକା ସାଙ୍ଗକୁ ବିଦେଶୀ ମଦ ଚୋରା ଚାଲାଣ ସହିତ ବେଆଇନ ଦେଶି ମଦଭାଟି ଉପରେ ଚଢ଼ାଉ ଆରମ୍ଭ କରିଦେଇଛି । ବିଶାକ୍ତ ମଦ ପିଇ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢୁଥିବାରୁ ଏହାଉପରେ ରୋକ ଲଗାଇବାକୁ ଏପରି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଜଣେ ପୋଲିସ ଅଧିକାରୀ । ସବୁଠାରୁ ବଡ଼ କଥା ହେଲା ମଦୁଆଙ୍କୁ ସାବାଡ଼ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ଜଣେ ମହିଳା ଥାନାଅଧିକାରୀ ବିଜୟଲକ୍ଷ୍ମୀ ହିକ୍କା ।
ତେବେ ରାୟଗଡା ଜିଲ୍ଲାର ଭୌଗଳିକ ସୀମା ଆନ୍ଧ୍ର ସହିତ ଲାଗି ରହିଥିବାରୁ ଅନେକ ସମୟରେ ଦୁର୍ଗମ ଅଞ୍ଚଳରେ ଲୋକେ ମଦ ପିଇବା ସହ, ଅନ୍ଧ ବିଶ୍ୱାସର ଶିକାର ହୋଇ ହତ୍ୟା ଭଳି ଅପରାଧ ଘଟାଉଛନ୍ତି । ଆଉ କିଛି ଜଣ ନିଶାସକ୍ତ ହୋଇ ଅକାଳରେ ମୃତ୍ୟୁ ମୁଖରେ ପଡୁଛନ୍ତି । ସେଥିପାଇଁ ଏହା ଉପରେ ରୋକ ଲଗାଇବାକୁ ପ୍ରଥମଥର ଏହି ଅଞ୍ଚଳରୁ ନିଶା ନିବାରଣ ପାଇଁ ସେ ପ୍ରତିଦିନ ଦୁର୍ଗମ ଅଞ୍ଚଳ ବୁଲି ବେଆଇନ ମଦଭାଟି ଭଙ୍ଗା ଅଭିଯାନ ଆରମ୍ଭ କରିଛନ୍ତି।