ରାୟଗଡା: ଯୁବବର୍ଗଙ୍କୁ ଟୀକାକରଣ ପାଇଁ ଜିଲ୍ଲା ପ୍ରଶାସନର ଉଦାସୀନତା ପ୍ରତିବାଦରେ ବିଜେପି ନଗର ମୋର୍ଚ୍ଚାର ବିକ୍ଷୋଭ ଏବଂ ଧାରଣା । ରାୟଗଡା ଜିଲ୍ଲାରେ କୋଭିଡ୍ ଟୀକାକରଣ କ୍ଷେତ୍ରରେ ଯୁବବର୍ଗକୁ ଉପେକ୍ଷା । ଏହାର ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ଭାରତୀୟ ଜନତା ପାର୍ଟି ।
କୋଭିଡ୍ ଟୀକାକରଣ କ୍ଷେତ୍ରରେ ଯୁବବର୍ଗକୁ ଉପେକ୍ଷା ୧୮ ରୁ ୪୪ ବର୍ଷ ବୟସ୍କଙ୍କୁ ଟିକା ପ୍ରଦାନ କ୍ଷେତ୍ରରେ ରାୟଗଡା ଜିଲ୍ଲା ପ୍ରଶାସନର ଉଦାସୀନତାକୁ ନେଇ ମଙ୍ଗଳବାର ବିଜେପି ନଗର କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦିଆଯାଇଥିଲା । ବିଜେପି ନଗର ମୋର୍ଚ୍ଚା ସଭାପତି ଶ୍ୟାମ କୁମାର ଦାଶଙ୍କ ନେତୃତ୍ବରେ ବିଜେପିକର୍ମୀ ମାନେ ବିଭିନ୍ନ ପ୍ଲାକାର୍ଡ ଧରି ଜିଲ୍ଲା ପ୍ରଶାସନ ବିରୋଧରେ ନାରାବାଜି କରିଥିଲେ ।
କୋଭିଡ୍ ଟୀକାକରଣ କ୍ଷେତ୍ରରେ ଯୁବବର୍ଗକୁ ଉପେକ୍ଷା ଯୁବଗୋଷ୍ଠୀମାନଙ୍କୁ ଟୀକାକରଣ ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ ମଧ୍ୟ ରାୟଗଡା ଜିଲ୍ଲା ପ୍ରଶାସନ ବିଭିନ୍ନ ଆଳ ଦେଖାଇ ଏଯାଏଁ ଟିକାଦାନ ଆରମ୍ଭ କରୁନାହାନ୍ତି । ଫଳରେ କୋରୋନା ଆକ୍ରାନ୍ତ ହୋଇ ପ୍ରତିଦିନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଯୁବକମାନେ ଅକାଳରେ ମୃତ୍ୟୁମୁଖରେ ପଡୁଥିବା ଅଭିଯୋଗ କରିଛି ବିଜେପି। ପଡୋଶୀ ଜିଲ୍ଲା ଗୁଡିକରେ ସଂକ୍ରମଣ ହାର କମ୍ ଥିଲେ ମଧ୍ୟ ଯୁବବର୍ଗଙ୍କୁ ଟିକା ଦିଆଯାଉଥିବା ବେଳେ ରାୟଗଡା ଜିଲ୍ଲାରେ ସଂକ୍ରମଣ ଓ ମୃତ୍ୟୁ ସଂଖ୍ୟା ଅଧିକ ଥିବାରୁ ତୁରନ୍ତ ଟିକାଦାନ ବ୍ୟବସ୍ଥା ଆରମ୍ଭ କରିବାକୁ ଦାବି କରିଛି ଭାରତୀୟ ଜନତା ପାର୍ଟି ।
ବିଜେପିର ଧାରଣା ପରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟରେ ୫ ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ଯୁବବର୍ଗଙ୍କୁ ଟୀକାକରଣ କରାଯାଉଥିବା ବେଳେ ପର୍ଯ୍ୟାୟକ୍ରମେ ରାୟଗଡା ଜିଲ୍ଲାରେ ମଧ୍ୟ ଆରମ୍ଭ ହେବ ବୋଲି କହିଛନ୍ତି।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ