ରାୟଗଡା: କମାଲ କରିଛନ୍ତି ରାୟଗଡା ଉତ୍କଳ ଗୌରବ ମଧୁସୂଦନ ବୈଷୟିକ ଶିକ୍ଷାନୁଷ୍ଠାନ(UGMIT )ର ଛାତ୍ର । ନିଜସ୍ବ ଉଦ୍ୟମରେ UGMIT ଛାତ୍ର ସୌରଚାଳିତ ଇ-ବାଇକ ଏବଂ ବ୍ୟାଟେରୀ ଚାଳିତ ଇ-ରିକ୍ସା ତିଆରି କରିଛନ୍ତି । ବର୍ତ୍ତମାନ ସମୟରେ ପେଟ୍ରୋଲ ଡିଜେଲର ଉଚ୍ଚା ଦରଦାମରୁ ଲୋକଙ୍କ ଆଶ୍ବସ୍ତି ଦେବା ସହ ପ୍ରଦୂଷଣ କମାଇବାକୁ ଏଭଳି ଇ-ଯାନର ଉଦ୍ଭାବନ କରିଥିବା କହିଛନ୍ତି ଶିକ୍ଷାର୍ଥୀ । ଏହି ଇ-ବାଇକର ବିଶେଷତ୍ବ ହେଉଛି ଏହା ଉଭୟ ବ୍ୟାଟେରୀ ଓ ସୌରଶକ୍ତି ଦ୍ବାରା ଗତି କରିପାରିବ । ଏହା ପ୍ରଦୂଷଣ ମାତ୍ରା କମ୍ କରିବା ସହ ପେଟ୍ରୋଲ-ଡିଜେଲ ଖର୍ଚ୍ଚ ମଧ୍ୟ ବଞ୍ଚାଇବ ।
ସମ୍ପୂର୍ଣ୍ଣ ବ୍ୟାଟେରୀ ଓ ଇଲେକ୍ଟ୍ରିକ ଦ୍ଵାରା ଚାଲୁଥିବା ଏହି ଗାଡିକୁ UGMITର ଇଞ୍ଜିନିୟରିଂ ଛାତ୍ର ପି ପୁଷ୍ପକାନ୍ତ ଓ ତାଙ୍କ ଟିମ୍ ତିଆରି କରିଛନ୍ତି । ସେମାନେ ଲକଡାଉନ ସମୟରେ ନିଜର କଳ୍ପନାକୁ ଏଭଳି ସଫଳ ରୂପ ଦେଇଛନ୍ତି । ଛାତ୍ରଙ୍କ ଏଭଳି ସଫଳ ଉଦ୍ଭାବନ ପାଇଁ ବୈଷୟିକ ଶିକ୍ଷାନୁଷ୍ଠାନର ଅଧ୍ୟାପକ ସମେତ ଛାତ୍ରଛାତ୍ରୀ ଖୁବ୍ ଉତ୍ସାହିତ ଅଛନ୍ତି । ଏହି ବାଇକରେ ବିଏଲସ ମୋଟର, ୪୮ ଭୋଲ୍ଟ ୨୦ ଆମୟର ବିଶିଷ୍ଟ ୪ଟି ବ୍ୟାଟେରୀ ସହ ସୋଲାର ପ୍ଲେଟ ବି ଲାଗିଛି । ଯାହାଫଳରେ ଉଭୟ ବ୍ୟାଟେରୀ ଓ ସୌରଶକ୍ତି ଦ୍ବାରା ଏହି ବାଇକଟି ଚାଲିପାରୁଛି ।