ଓଡିଶା

odisha

ଡଙ୍ଗରିଆକନ୍ଧଙ୍କ ପାଇଁ ସାତ ସପନ ପାଲଟିଛି ପକ୍କାଘର, ଝାଟିମାଟି ଘରେ ବିତୁଛି ଜୀବନ

ରାୟଗଡା ଜିଲ୍ଲା ନିୟମଗିରିରେ ରହୁଥିବା ଆଦିମ ଅଧିବାସୀ ଡଙ୍ଗରିଆକନ୍ଧଙ୍କ ପାଇଁ ଆବାସ ଯୋଜନା ପାଲଟିଛି ସାତ ସପନ । ଝାଟିମାଟି ଘରେ ବିତୁଛି ୧୧୨ ଖଣ୍ଡ ଗ୍ରାମରେ ୨୫୦୦ ରୁ ଉର୍ଦ୍ଧ୍ବ ପରିବାରଙ୍କ ଜୀବନ । ଅଧିକ ପଢନ୍ତୁ

By

Published : Nov 13, 2022, 2:24 PM IST

Published : Nov 13, 2022, 2:24 PM IST

Updated : Nov 13, 2022, 2:42 PM IST

ଡଙ୍ଗରିଆକନ୍ଧଙ୍କ ପାଇଁ ସାତ ସପନ ପାଲଟିଛି ପକ୍କାଘର, ଝାଟିମାଟି ଘରେ ବିତୁଛି ଜୀବନ
ଡଙ୍ଗରିଆକନ୍ଧଙ୍କ ପାଇଁ ସାତ ସପନ ପାଲଟିଛି ପକ୍କାଘର, ଝାଟିମାଟି ଘରେ ବିତୁଛି ଜୀବନ

ରାୟଗଡା:ଡଙ୍ଗରିଆକନ୍ଧଙ୍କ ପାଇଁ ଆବାସ ଯୋଜନା ପାଲଟିଛି ସାତ ସପନ । କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ଦେଶରୁ କଚା ଘର ହଟାଇ ୨୦୨୨ ସୁଦ୍ଧା ଦେଶର ସମସ୍ତ ଗରିବଙ୍କୁ ପକ୍କାଘର ପ୍ରଦାନ ପାଇଁ ଆବାସ ଯୋଜନା କରିଛନ୍ତି । ହେଲେ ତାହା ଫଳଶୂନ୍ୟ ହୋଇଛି । ରାୟଗଡା ଜିଲ୍ଲା ନିୟମଗିରିରେ ରହୁଥିବା ଆଦିମ ଅଧିବାସୀ ଏଥିରୁ ବଞ୍ଚିତ ହୋଇଛନ୍ତି । ବାରମ୍ବାର ନିବେଦନ ପରେ ବି ନୀତି ନିୟମର ଦ୍ଵାହିଦେଇ ସରକାରଙ୍କ ଘୋଷିତ ଯୋଜନାରୁ ଏମାନେ ବଞ୍ଚିତ ହେଉଥିବା ନଜରକୁ ଆସିଛି । ନିୟମଗିରିରେ ବସବାସ କରୁଥିବା ଆଦିମ ଜନଜାତି ଡଙ୍ଗରିଆକନ୍ଧ ଏହି ସମସ୍ୟାରେ ସମ୍ମୁଖୀନ ହୋଇଛନ୍ତି ।

ଡଙ୍ଗରିଆକନ୍ଧଙ୍କ ପାଇଁ ସାତ ସପନ ପାଲଟିଛି ପକ୍କାଘର, ଝାଟିମାଟି ଘରେ ବିତୁଛି ଜୀବନ

ନିୟମଗିରି ପାହାଡରେ ଦଶନ୍ଧି ଦଶନ୍ଧି ଧରି ଆଦିମ ଜନଜାତି ଡ଼ଙ୍ଗରିଆ କନ୍ଧ ବାସ କରି ଆସୁଛନ୍ତି । ହେଲେ ମୌଳିକ ସୁବିଧା ଏଠି ସାତ ସପନ । ନା ରହିବାକୁ ଅଛି ମୁଣ୍ଡ ଉପରେ କଂକ୍ରିଟର ଛାତ ନା ଗାଁକୁ ଅଛି ସବୁଦିନିଆ ରାସ୍ତା । ଏଭଳି କି ଡଙ୍ଗରିଆକନ୍ଧ ପରିବାର କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ମଧ୍ୟ ବଞ୍ଚିତ ହୋଇଥିବାର ସ୍ପଷ୍ଟ ଚିତ୍ର ଲୋକଲୋଚନକୁ ଆସିଛି । କେବଳ ସେତିକି ନୁହଁ ରାଜ୍ୟ ସରକାରଙ୍କ ବିଜୁ ପକ୍କାଘର ଓ ମୋ କୁଡିଆ ଯୋଜନାରେ ମଧ୍ୟ କେହି ସାମିଲ ହୋଇନଥିବା ଅଭିଯୋଗ ହୋଇଛି ।

ଆବାସ ଯୋଜନାରେ ସାମିଲ କରି ଘର ଖଣ୍ଡିଏ ପ୍ରଦାନ ପାଇଁ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ଦୌଡି ନୟାନ୍ତ ହେବା ପରେ ମଧ୍ୟ ସେମାନଙ୍କୁ ଉପଲବ୍ଧ ହେଉନଥିବା ଜଣାପଡିଛି । ଫଳରେ ସରକାରଙ୍କ ଉପରେ ଏହି ଆଦିମ ଜନଜାତିଙ୍କ ଭରସା ତୁଟିବାରେ ଲାଗିଛି । ନିୟମଗିରି ପାହାଡରେ ୧୧୨ ଖଣ୍ଡ ଗ୍ରାମରେ ୨୫୦୦ ରୁ ଉର୍ଦ୍ଧ୍ବ ଘର ରହିଛି । ତେବେ ବିଡମ୍ବନାର ବିଷୟ ହାତଗଣତି କିଛି ଜଣଙ୍କୁ ବାଦ ଦେଲେ କୌଣସି ଜଣେ ମଧ୍ୟ ଡଙ୍ଗରିଆକନ୍ଧ ଆବାସ ଯୋଜନାରେ ସାମିଲ ହୋଇ ନାହାଁନ୍ତି । ସରକାରଙ୍କ ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ପାଇଁ ଏହିଭଳି ସ୍ଥିତି ଉପୁଜିଛି ।

ସୂଚନାଅନୁସାରେ, ୨୦୦୨ ଓ ୨୦୦୩ ମସିହାରେ ଡଙ୍ଗରିଆକନ୍ଧ ମାନଙ୍କ ପାଇଁ ଏକ ସ୍ବତନ୍ତ୍ର ଆବାସ ଯୋଜନା ଆରମ୍ଭ କରାଯାଇଥିଲା । ସମସ୍ତ ଡଙ୍ଗରିଆକନ୍ଧଙ୍କୁ ଆଜବେଷ୍ଟସ ଗୃହ ପ୍ରଦାନ କରାଗଲା । ମାତ୍ର ୩୦ ହଜାର ଟଙ୍କାରେ ଏହି ଘର ପ୍ରଦାନ ହୋଇଥିଲା । ଫଳରେ ସରକାରଙ୍କ ନିୟମାନୁସାରେ ଥରେ ଯଦି ଜଣେ ଘର ପାଇଲେ ଦ୍ବିତୀୟ ଥର ପାଇବେ ନାହିଁ । ଏହି ନିୟମ ପ୍ରକାରେ ବର୍ତ୍ତମାନ ଡଙ୍ଗରିଆକନ୍ଧ ସମ୍ପ୍ରଦାୟ ଆବାସ ଯୋଜନାରୁ ବଞ୍ଚିତ ହୋଇଛନ୍ତି । ୨୦ ବର୍ଷ ପୂର୍ବେ ୩୦ ହଜାର ଟଙ୍କା ବ୍ୟୟରେ ନିର୍ମିତ ଘରର ଅବସ୍ଥା କଣ ରହିଥିବ ତାହା ସ୍ପଷ୍ଟ ବାରି ହୋଇ ପଡୁଛି । ତେଣୁ ଡଙ୍ଗରିଆକନ୍ଧ ମାନେ ଚାଳ ଓ ଛପର ଘରେ ରହିବାକୁ ବାଧ୍ୟ ହେଉଛନ୍ତି ।

୨୦ ବର୍ଷ ମଧ୍ୟରେ ଆବାସ ଦର ସରକାର ବୃଦ୍ଧି କରି ୧ ଲକ୍ଷ ୩୦ ହଜାର ଟଙ୍କା କରିଛନ୍ତି । ଏଥିସହ ଶୌଚାଳୟ ଅନୁଦାନ ଓ ମନରେଗା ମଜୁରୀ ଅଲଗା ମିଳୁଛି । ସେସବୁ ମିଶାଇଲେ ଆବାସର ଦର ୨୦୦୨ ଠାରୁ ୬ ଗୁଣ ବୃଦ୍ଧି ଘଟିଛି । ହେଲେ ପ୍ରକୃତ ହିତାଧିକାରୀ ପାଇବା ପାଇଁ ଯୋଗ୍ୟ ସମ୍ପ୍ରଦାୟ ସମୂହକୁ ଏଥିରୁ ସରକାରୀ ନିୟମ ବଞ୍ଚିତ କରୁଥିବା ଅନେକ ସ୍ବେଚ୍ଛାସେବୀ ଅଭିଯୋଗ କରିଛନ୍ତି । ଏପରିକି ତିତିଲି ସମୟରେ ଯେଉଁ କ୍ଷତି ଘଟିଥିଲା, ତାହାପରେ ମଧ୍ୟ ସେମାନଙ୍କୁ ଆବାସ ଯୋଜନାରେ ସାମିଲ କରାଯାଇନାହିଁ । ଏମିତି ଅନେକ ଗାଁ ନିୟମଗିରି ପାହାଡ ଉପରେ ଓ ତଳେ ରହିଛି ଯେଉଁଠି କେବଳ ଛପର ଘର ରହିଛି । ଝଡି ବର୍ଷାରେ ନାହିଁ ନଥିବା ସମସ୍ୟା ଭୋଗିବାକୁ ପଡୁଛି ।

କଲ୍ୟାଣସିଂହପୁର ବ୍ଲକର ପାରସାଲି ଠାରେ ଥିବା ୫୧, ମୁନିଗୁଡା ବ୍ଲକ ଆମ୍ବଦନିରେ ୭୫, ମେରେକାବଣ୍ଡେଲିରେ ୩୬, ବିଷମକଟକ ବ୍ଲକ ଖମ୍ବେସିରେ ୧୪୮ ଓ ଖଜୁରୀରେ ୭୬ ଘର କେବଳ ଝାଟିମାଟିର ରହିଛି । କେବଳ ଡଙ୍ଗରିଆକନ୍ଧ ନୁହଁନ୍ତି ନିୟମଗିରିରେ ବସବାସ କରୁଥିବା କିଛି ପରିମାଣର କୁଟିଆକନ୍ଧ ମଧ୍ୟ ଏହି ଯୋଜନାରୁ ବଞ୍ଚିତ ହେଉଥିବା ଜଣାପଡିଛି । ସମସ୍ତଙ୍କୁ ଆବାସ ପ୍ରଦାନ ନେଇ ପ୍ରତିଦିନ ବ୍ଲକ ଓ ଜିଲ୍ଲାସ୍ତରରେ ସମୀକ୍ଷା ହେଉଥିବାବେଳେ, କିଭଳି ଡଙ୍ଗରିଆକନ୍ଧ ସମ୍ପ୍ରଦାୟକୁ ବାଦ ଦିଆଯାଇଛି ତାହା ସମସ୍ତଙ୍କୁ ଚକିତ କରିଛି । ତେବେ ଆବାସ ଯୋଜନାରେ ସାମିଲ କରି ପକ୍କା ଘର ପ୍ରଦାନ ପାଇଁ ଡଙ୍ଗରିଆକନ୍ଧ ମାନେ ବାରମ୍ବାର ନିବେଦନ କରୁଛନ୍ତି ।

ହେଲେ କେହି ସେମାନଙ୍କ ଗୁହାରୀ ଶୁଣିବାକୁ ନାରାଜ । ଭଲ ଘର ନଥିବା କାରଣରୁ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ସର୍ବଦା ସମସ୍ୟା ଭୋଗୁଛନ୍ତି ଏହି ଗରିବ ଲୋକେ । ପାହାଡ ଭିତରେ ପୀଢି ପରେ ପୀଢି ରହି ଆସୁଥିବା ଏହି ଲୋକଙ୍କ ସମସ୍ୟା ସରକାରଙ୍କ ନଜରକୁ ଆସୁନାହିଁ । ଏ ସମ୍ପର୍କରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ଯେ, ''ସମସ୍ତ ଆଦିମ ଜନଜାତି ସମ୍ପ୍ରଦାୟ ଆବାସ ଯୋଜନାରେ ସାମିଲ ହେବା ନେଇ ପଦକ୍ଷେପ ଗ୍ରହଣ ହୋଇଛି । ଖୁବଶୀଘ୍ର ସେହି ପ୍ରତିବନ୍ଧକ ହଟିବ ଓ ସମସ୍ୟା ମଧ୍ୟ ଦୂର ହେବ ।'' ତେବେ ଦେଖିବାର କଥା କେବେ ଆବାସ ଯୋଜନାରେ ସାମିଲ ହୋଇ ମୁଣ୍ଡକୁ ଛାତ ଘରଟିଏ ପାଉଛନ୍ତି ଡଙ୍ଗରିଆକନ୍ଧ ।

ଇଟିଭି ଭାରତ, ରାୟଗଡା

Last Updated : Nov 13, 2022, 2:42 PM IST

ABOUT THE AUTHOR

...view details