ରାୟଗଡା:୩ ମାସ ପରେ ଖୋଲିଲା ମା ମଝିଘରିଆଣି ମନ୍ଦିରର ଦାନ ହୁଣ୍ଡି । ଗତକାଲି ସକାଳ ୧୦ ଟା ସମୟରେ ମାଜିଷ୍ଟ୍ରେଟ୍ ଓ ପୋଲିସ ଉପସ୍ଥିତିରେ ମନ୍ଦିର ପରିଚାଳନା କମିଟି ତରଫରୁ ହୁଣ୍ଡି ଖୋଲାଯାଇ ଗଣତି ଆରମ୍ଭ ହୋଇଥିଲା । ଦୀର୍ଘ ୮ ଘଣ୍ଟା ଧରି ଗଣତି ଚାଲିଥିଲା । ଗଣତି ପରେ ହୁଣ୍ଡିରୁ ନଗଦ ୬୮ ଲକ୍ଷ ୭୪ ହଜାର ୧୪୦ ଟଙ୍କା ସହିତ ୩୯ ଗ୍ରାମ ସୁନା ଓ ୧୭୯୭ ଗ୍ରାମ ରୂପା ବାହାରିଥିବା ଜଣାପଡିଛି ।
ଏଥିସହ ୮ଟି ଆମେରିକାନ ଡଲାର ମଧ୍ୟ ମିଳିଛି । ବିଦେଶରେ ରହୁଥିବା କୌଣସି ଭକ୍ତ ମା'ଙ୍କ ଦର୍ଶନ ପାଇଁ ଆସି ଏହି ବିଦେଶୀ ଟଙ୍କା ହୁଣ୍ଡିରେ ଦାନ କରିଥିବା ଅନୁମାନ କରାଯାଉଛି । ମନ୍ଦିର ଦାନ ହୁଣ୍ଡି ୩ ମାସ ପରେ କାଲି ଖୋଲାଯାଇଥିବା ବେଳେ ସ୍ଥାନୀୟ ତହସିଲଦାରଙ୍କ ତତ୍ବାବଧାନରେ ମନ୍ଦିର ପରିଚାଳନା କମିଟିର କର୍ମକର୍ତ୍ତା ଉପସ୍ଥିତିରେ ୯ଟି ଦାନ ହୁଣ୍ଡି ଖୋଲାଯାଇ ଗଣତି କରାଯାଇଛି । ହୁଣ୍ଡିରୁ ଦାନ ଅର୍ଥ ଗଣତି କର୍ଯ୍ୟରେ ବିଭିନ୍ନ ସଂଗଠନର ମହିଳା ଓ ପୁରୁଷ ସ୍ଵେଚ୍ଛାସେବୀ ସଦସ୍ୟ ଓ କିଛି ଛାତ୍ରଛାତ୍ରୀଙ୍କୁ ନିୟଜିତ କରାଯାଇଥିଲା । ଏଥିରେ ପ୍ରାୟ ୧୫୦ରୁ ଊର୍ଦ୍ଧ୍ବ କର୍ମକର୍ତ୍ତା ଗଣତି ପ୍ରକ୍ରିୟାରେ ନିୟୋଜିତ ହୋଇଥିଲେ । ତେବେ ଏହି ଗଣତି କାର୍ଯ୍ୟରେ ନିୟୋଜିତ ହୋଇ ନିଜକୁ ଭାଗ୍ୟବାନ ମନେ କରିଛନ୍ତି ଗଣତିରେ ନିୟୋଜିତ ଏସ.ଏଚ୍.ଜି ମହିଳା ସଦସ୍ୟମାନେ ।
ଗତ ୩ ମାସ ତଳେ ଅର୍ଥାତ ଜୁନ ୨୧ ତାରିଖରେ ତଦାନ ହୁଣ୍ଡିରୁ ୫୮ ଲକ୍ଷ ୨୪ ହଜାର ୯୫୦ ଟଙ୍କା, ସୁନା ୩୯ ଗ୍ରାମ ଓ ରୂପା ୧ କେଜି ୬୫୦ ଗ୍ରାମ ସଂଗ୍ରହ ହୋଇଥିଲା । ଏହା ସହ ୨୮ଟି ଡୋଲ୍ଳାର, ରିଆଲ ଓ ପଣ୍ଡ ବିଦେଶ ନୋଟ୍ ମଧ୍ୟ ସଂଗ୍ରହ ହୋଇଥିଲା। ଗତକାଲିର ହୁଣ୍ଡି ଖୋଲା କାର୍ଯ୍ୟକ୍ରମକୁ ସଂପୂର୍ଣ୍ଣ ଭାବେ ଯୁନିୟନ ବ୍ୟାଙ୍କ ପକ୍ଷରୁ ପରିଚାଳନା କରାଯାଇଥିବା ବେଳେ ହୁଣ୍ଡିରୁ ବାହାରିଥିବା ଅର୍ଥ ୟୁନିଅନ୍ ବ୍ୟାଙ୍କ୍ ରାୟଗଡ଼ା ମୁଖ୍ୟ ଶାଖାରେ ଜମା କରାଯାଇଥିଲା ।