ରାୟଗଡା: ଶ୍ରମ ବିଭାଗର ବେପରୁଆ ମନୋଭାବ ଯୋଗୁଁ ପ୍ରବାସୀ ଶ୍ରମିକଙ୍କୁ ମିଳୁନି ସହାୟତା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲାରେ । ପ୍ରଶାସନ ପକ୍ଷରୁ କୌଣସି ସହାୟତା ନମିଳିବାରୁ 19 ଜଣ ଦାଦନ ଶ୍ରମିକ ଚାଲି ଚାଲି ନିଜ ରାଜ୍ୟ ଉତ୍ତରପ୍ରଦେଶକୁ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଗତ ଜାନୁଆରୀ ମାସଠାରୁ ରାୟଗଡ଼ା ଜିଲ୍ଲାର ଲାଡ଼ା ଷ୍ଟେସନ ନିକଟରେ ରେଲୱେ କାମ କରିବାକୁ ଆସିଥିଲେ ଏହି ଶ୍ରମିକ । କୋରୋନାକୁ ନେଇ ଲକଡ଼ାଉନ ହେବା ପରେ ଠିକାଦାର ଏମାନଙ୍କୁ କୌଣସି ଆର୍ଥିକ ସହାୟତା ଦେଇନଥିଲା ।
ନିଜ ରାଜ୍ୟ ଉତ୍ତରପ୍ରଦେଶର ମଙ୍ଗଲପୁରକୁ ଫେରିବା ପାଇଁ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହୋଇଥିଲେ ଏହି ଶ୍ରମିକ । ତେବେ ଶ୍ରମିକମାନଙ୍କୁ ନା କ୍ବାରେନଣ୍ଟାଇନରେ ରଖାଗଲା, ନା ନିଜ ରାଜ୍ୟକୁ ଫେରିବାକୁ ଗାଡ଼ିର ବ୍ୟବସ୍ଥା କରାଗଲା । ଫଳରେ ବାଧ୍ୟ ହୋଇ ଏହି ଦାଦନମାନେ ଚାଲି ଚାଲି 1000 କିଲୋମିଟର ଅତିକ୍ରମ କରି ନିଜ ରାଜ୍ୟକୁ ଯିବା ପାଇଁ ବାଧ୍ୟ ହୋଇଛନ୍ତି । ଏନେଇ ବିଭାଗୀୟ ଶ୍ରମ ଆୟୁକ୍ତଙ୍କ ପ୍ରତିକ୍ରିୟା ନେବାକୁ ଇଟିଭି ଭାରତ ଚେଷ୍ଟା କରିଥିଲା । ହେଲେ ଉତ୍ତର ଦେବା ତ ଦୂରର କଥା, କ୍ୟାମେରା ଦେଖି ବାଟ ଭାଙ୍ଗି ଚାଲିଯାଇଥିଲେ ।