ରାୟଗଡା: କନିଷ୍ଠ ଶିକ୍ଷକଙ୍କ ପ୍ରତି ଅବହେଳା କରୁଛନ୍ତି ରାଜ୍ୟ ସରକାର । 2016 ମସିହାରୁ ଆଜି ଯାଏଁ କର୍ତ୍ତବ୍ୟରତ୍ତ କନିଷ୍ଠ ଶିକ୍ଷକଙ୍କ ବିଭିନ୍ନ ଦାବି ସରକାରଙ୍କ ପାଖରେ ଉପସ୍ଥାପନ କରାଯାଉଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ । ନିଯୁକ୍ତିକୁ ୫ ବର୍ଷ ବିତିଥିଲେ ସୁଦ୍ଧା ନା ଏହି ଶିକ୍ଷକଙ୍କୁ ସ୍ଥାୟୀ ମାନ୍ୟତା ଦିଆଯାଉଛି ନା ଦରମା ବୃଦ୍ଧି କରାଯାଉଛି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିବା ସହ ଦରମା ବୃଦ୍ଧି ଦାବିରେ ରାୟଗଡା ଜିଲ୍ଲା କନିଷ୍ଠ ଶିକ୍ଷକ ସଙ୍ଘ ପକ୍ଷରୁ ଜିଲ୍ଲାପାଳ, ଡିଇଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।
ରାଜ୍ୟରେ ଖାଉଟି ସାମଗ୍ରୀ ଦର ଦାମ ହୁ ହୁ ହୋଇ ବଢୁଛି । ଏପରିସ୍ଥଳେ ମାସିକ 6,512 ଟଙ୍କା ବେତନରେ ଜଣେ ଶିକ୍ଷକ କିପରି ବଞ୍ଚିବ ବୋଲି ପ୍ରଶ୍ନ କରିଛନ୍ତି କନିଷ୍ଠ ଶିକ୍ଷକ ସଙ୍ଘ । ଶ୍ରମ ମନ୍ତ୍ରାଳୟ ପକ୍ଷରୁ ଜଣେ ଅଣ କୁଶଳୀ ଶ୍ରମିକର ପାରିଶ୍ରମିକ ଦୈନିକ 311 ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ଜଣେ ଶିକ୍ଷକକୁ ଦୈନିକ 217 ଟଙ୍କା ଦେବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସଙ୍ଘ ଯୁକ୍ତି ବାଢିଛି ।