ରାୟଗଡା: ରାଜ୍ୟର ଦ୍ବିତୀୟ ଗରୀବ ଜିଲ୍ଲା ରାୟଗଡା । ନିକଟରେ ପ୍ରକାଶିତ ନୀତି ଆୟୋଗ ରିପୋର୍ଟରେ ଏହା ଉଲ୍ଲେଖ ରହିଛି । ରାୟଗଡ଼ା ଜିଲ୍ଲା ଖଣି ଓ କାରଖାନା ସମ୍ପୃଦ୍ଧ ହୋଇଥିବା ବେଳେ ଏଠାରେ ଦାରିଦ୍ର୍ୟ ଦୂରୀକରଣ ପାଇଁ ଯୋଜନାର ଅଭାବ ନାହିଁ । ତଥାପି କାହିଁକି ଏହି ଜିଲ୍ଲା ଦାରିଦ୍ର୍ୟ ରାକ୍ଷାସ କବଳରୁ ମୁକୁଳି ପାରୁନି ସେନେଇ ପ୍ରଶ୍ନ ଉଠିଛି । କଳ କାରଖାନା ଓ ସରକାରୀ ଯୋଜନା ସତ୍ତ୍ବେ ରାୟଗଡ଼ା ଜିଲ୍ଲାରେ ଦାଦନ ସମସ୍ୟା ଉଦବେଗଜନକ ରହିଛି । ବେକାରୀ ସମସ୍ୟା ଦୂର ହେଉନି । ସରକାରଙ୍କ ଯୋଜାନରେ ପେଟର ଭୋକ ମେଣ୍ଟୁନି । ଶିକ୍ଷା, ସ୍ବାସ୍ଥ୍ୟ, ବାସଗୃହ ପ୍ରତିଟି କ୍ଷେତ୍ରରେ ଗରୀବ ଆଦିବାସୀ ଅବହେଳିତ ହେଉଛନ୍ତି । ଅନେକ ସମୟରେ ଜିଲ୍ଲାରୁ ଆସୁଥିବା ଜନନୀ ଯନ୍ତ୍ରଣାର ଦାରୁଣ ଚିତ୍ର ଜନମାନସକୁ ଆନ୍ଦୋଳିତ କରୁଛି । ତେଣୁ ସରକାର ଦାରିଦ୍ର୍ୟ ହଟାଇବା ପରିବର୍ତ୍ତେ ମାଳମାଳ ପୋଷ୍ଟର ବ୍ୟାନର ଲଗାଇ ପ୍ରଗତିର ଭ୍ରମ ସୃଷ୍ଟି କରୁଛନ୍ତି ବୋଲି ଅଭିଯୋଗ ହେଉଛି ।
ନିକଟରେ ନୀତି ଆୟୋଗ ଜାରି କରିଥିବା 'ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚୀ, ଏକ ଅଗ୍ରଗତି ସମୀକ୍ଷା ୨୦୨୩ ରିପୋର୍ଟ' ଅନୁସାରେ ରାଜ୍ୟରେ ଗରୀବ ଜିଲ୍ଲା ତାଲିକାରେ ପ୍ରଥମେ ମାଲକାନଗିରି ଥିବାବେଳେ ଦ୍ବିତୀୟରେ ରାୟଗଡ଼ା ଏହା ପଛକୁ କୋରାପୁଟ ଓ ନବରଙ୍ଗପୁର ରହିଛି । ରାୟଗଡ଼ା ଜିଲ୍ଲାରେ ଦାରିଦ୍ର୍ୟ ହାର ୩୪.୦୩ ପ୍ରତିଶତ, କୋରାପୁଟରେ ୩୩.୫୪ ପ୍ରତିଶତ ଅଛି । ନୀତି ଆୟୋଗଙ୍କ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନର ଦାରିଦ୍ର୍ୟ ଦୂରୀକରଣ ଯୋଜନାର କାର୍ଯ୍ୟକାରିତା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଏନେଇ କୋରାପୁଟ ସାଂସଦ ସପ୍ତଗିରି ଉଲ୍ଲାକା କହିଛନ୍ତି, "ଆଦିବାସୀଙ୍କ ସରଳତାର ସୁଯୋଗ ନେଇ ସରକାରୀ ଅର୍ଥର ବ୍ୟାପକ ହରିଲୁଟ୍ ଓ ବାଟମାରଣା ଯୋଗୁଁ ଲୋକଙ୍କ ନିକଟରେ ବିକାଶରେ ବାଧକ ସାଜିଛି । କେବଳ ଭୁବନେଶ୍ବର, ପୁରୀ, କଟକରେ ବିକାଶ ହେଉଛି । ଅବିଭକ୍ତ କୋରାପୁଟ ଜିଲ୍ଲା ହେଉକି କେବିକି ଅଞ୍ଚଳରେ ବିକାଶ ପହଞ୍ଚି ପାରୁନି । ଏଠାରେ ରୋଜଗାର ନାହିଁ, ଲୋକମାନେ ସୁବିଧା ପାଇପାରୁନାହାନ୍ତି । ବଡ ବଡ ପ୍ରକଳ୍ପରେ ଲୋକେ ଲାଭବାନ ହେଉନାହାନ୍ତି । ଲୋକଙ୍କ ଜୀବନ ଜୀବନଧାରଣ ମାନ ଉନ୍ନତି ପାଇଁ ସରକାର ପ୍ରୟାସ କରିବା ଉଚିତ ।"
ଗତ ମାର୍ଚ୍ଚ ମାସ ସୁଦ୍ଧା ରାଜଗଡ଼ା ଜିଲ୍ଲାର ୧୧ଟି ବ୍ଲକରେ ୩୮ଲକ୍ଷ ୭୨ହଜାର ୨୮୭ଟି ଶ୍ରମ ଦିବସ ଅନୁମୋଦିତ ହୋଇଥିଲା । ୨୦୧୮ ମେ ମାସ ସୁଦ୍ଧା ୩୯ଲକ୍ଷ ୮୭ହଜାର ୦୨୨ଶ୍ରମ ଦିବସ ଜରିଆରେ କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ଏହି ବାବଦକୁ ଜିଲ୍ଲାରେ ଶ୍ରମିକଙ୍କୁ ୧୦୪୦୦.୧୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ୨୦୧୮-୧୯ ଆର୍ଥିକ ବର୍ଷ ଆରମ୍ଭର ୨ ମାସରେ ୪ଲକ୍ଷ ୨୧ହଜାର ୪୦ଟି ଶ୍ରମଦିବସ ସୃଷ୍ଟି କରି ୫୭.୨୫ ପ୍ରତିଶତ ସଫଳତା ପାଇଥିବା ପ୍ରଶାସନର ତଥ୍ୟରୁ ଜଣା ପଡ଼ିଛି ।