ରାୟଗଡା: ବର୍ଷ ୨୦୧୮-୧୯ ପାଇଁ କାୟାକଳ୍ପ ପୁରସ୍କାର ଜିତିଲା ରାୟଗଡା ଜିଲ୍ଲା ଚିକିତ୍ସାଳୟ । ରାଜ୍ୟର 30ଟି ଜିଲ୍ଲା ମଧ୍ୟରୁ ଏହାକୁ କେନ୍ଦ୍ର ସରକାର ଗତ 11 ତାରିଖରେ ପୁରଷ୍କୃତ କରିଛନ୍ତି ।
ଉଭୟ କେନ୍ଦ୍ର ଓ ରାଜ୍ୟର 3ଟି ଟିମ୍ ସାରା ଦେଶରେ ଥିବା ଜିଲ୍ଲାସ୍ତରୀୟ ହସ୍ପିଟାଲକୁ 3ଟି ପର୍ଯ୍ୟାୟରେ ଆସି ସମୀକ୍ଷା କରିବା ପରେ ଏହି ପୁରସ୍କାର ପାଇଁ ସୁପାରିସ କରିଥାନ୍ତି । ପ୍ରଥମେ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଟେକ୍ନିକାଲ ଟିମ ଆସି ହସ୍ପିଟାଲ ବୁଲିବା ପରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଆଉ ଏକ ଟିମ ଆସି ବୁଲିଥାନ୍ତି । ଶେଷରେ ପୁଣି କେନ୍ଦ୍ରର ଏକ ଟିମ୍ ମେଡିକାଲରେ ସମସ୍ତ ବ୍ୟବସ୍ଥା ଅନୁଧ୍ୟାନ କରି ରିପୋର୍ଟ ଦେଇଥାଏ । ଏହାପରେ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଚୟନ କମିଟି ସମସ୍ତ ରିପୋର୍ଟ ଆଧାରରେ ମାର୍କିଂ କରିଥାଏ । 100 ମାର୍କରୁ ଯେଉଁ ମେଡ଼ିକାଲ ଅଧିକ ମାର୍କ ରଖେ ତାକୁ ସେହିବର୍ଷର କାୟାକଳ୍ପ ପୁରସ୍କାର ମିଳିବା ସହ 50 ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ମିଳିଥାଏ । ସମସ୍ତ ରାଜ୍ୟର ଶ୍ରେଷ୍ଠ ମେଡିକାଲକୁ ଏହି ପୁରସ୍କାର ମିଳିଥାଏ ।