ରାୟଗଡ଼ା: କୋଭିଡ ମୁକାବିଲାର ନଗ୍ନ ଚିତ୍ର । ମ୍ୟାଲେରିଆ କହି କଲେ କୋଭିଡ ଟେଷ୍ଟ । ରିପୋର୍ଟ ପଜିଟିଭ ଆସିଥିବା କହି ବସରେ ବସାଇଲେ । କୋଭିଡ ସେଣ୍ଟରକୁ ଯିବା ବାଟରେ ରିପୋର୍ଟ ଆସିଲା ନେଗେଟିଭ୍ । ଆଉ ରିପୋର୍ଟ ନେଗେଟିଭ୍ ଆସିବା ସତ୍ତ୍ବେ ମଧ୍ୟ କୋଭିଡ କେୟାର ସେଣ୍ଟରରେ କରାଗଲା ଭର୍ତ୍ତି । କୋଭିଡ ଆକ୍ରାନ୍ତଙ୍କ ସହ ରଖିଲେ । ଆଉ 6 ଦିନ ପରେ ନେଗେଟିଭି କହି ଘରକୁ ପଠାଇ ଦେଲେ । ଏମିତି ଘଟଣା ଘଟିଛି ରାୟଗଡା ଜିଲ୍ଲା ରାମନଗୁଡ଼ା ବ୍ଲକ ପେନେକମ ପଞ୍ଚାୟତର ପଦଲପୁର ଗାଁରେ ।
ଗତ 14 ତାରିଖରେ ସ୍ଵାସ୍ଥ୍ଯ ବିଭାଗ ପକ୍ଷରୁ କୋଭିଡ ଟେଷ୍ଟ କରାଯାଇଥିଲା । କିନ୍ତୁୁ ଟେଷ୍ଟ ପୂର୍ବରୁ କୁହାଗଲା ମ୍ୟାଲେରିଆ ଟେଷ୍ଟ ହେବ ବୋଲି । ତେବେ 35 ଜଣଙ୍କ କୋରୋନା ଟେଷ୍ଟ କରାଯାଇଥିବା ଅଭିଯୋଗ ହୋଇଛି । ସନ୍ଧ୍ୟାରେ ପଜିଟିଭ ଆସିଥିବା କହିବା ସହ ଗତ 15 ତାରିଖରେ କୋଭିଡ କେୟାର ସେଣ୍ଟରକୁ ଯିବାକୁ ପ୍ରସ୍ତୁତ ହେବାକୁ କୁହାଯାଇଥିଲା । ପରେ ଏକ ବସ ଯୋଗେ ବସରେ 32 ଜଣଙ୍କୁ ବିଷମକଟକ କୋଭିଡ କେୟାର ସେଣ୍ଟରକୁ ନିଆଯାଇଥିଲା ।