ରାୟଗଡା: ଯୁବବର୍ଗଙ୍କୁ ଟୀକାକରଣ ପାଇଁ ବିଭିନ୍ନ ସ୍ତରରୁ ପ୍ରତିବାଦ ସ୍ଵର ଉଠିବା ପରେ ମୁହଁ ଖୋଲିଲେ ଜିଲ୍ଲାପାଳ । ରାୟଗଡା ଜିଲ୍ଲାରେ କୋଭିଡ୍ ଟୀକାକରଣ କ୍ଷେତ୍ରରେ ଯୁବବର୍ଗକୁ ଉପେକ୍ଷା ନେଇ ଅସନ୍ତୋଷ ଦିନକୁ ଦିନ ବଢିବାରେ ଲାଗିଛି । ଏହାର ପ୍ରତିବାଦରେ ବିଭିନ୍ନ ସଂଗଠନ ରାଜରାସ୍ତାକୁ ଓହ୍ଲାଇଛନ୍ତି । ବିଗତ ଦୁଇ ଦିନ ତଳେ ଭାରତୀୟ ଜନତା ପାର୍ଟି ପ୍ରତୀକ ଧାରଣାରେ ବସି ଥିବା ବେଳେ ଶୁକ୍ରବାର କଂଗ୍ରେସ ପକ୍ଷରୁ ମଧ୍ୟ ଜିଲ୍ଲାପାଳଙ୍କୁ ସ୍ମାରକ ପତ୍ର ଦେଇଛନ୍ତି ।
୧୮ ରୁ ୪୪ ବର୍ଷର ଯୁବକଙ୍କୁ ଟିକା ପ୍ରଦାନ କ୍ଷେତ୍ରରେ ରାୟଗଡା ଜିଲ୍ଲା ପ୍ରଶାସନର ପକ୍ଷରୁ ଉଦାସୀନତା ଅଭିଯୋଗ ପରେ ଆଜି ଗଣମାଧ୍ୟମକୁ ଏନେଇ ପ୍ରତିକ୍ରିୟା ରଖିଛନ୍ତି ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ର । ରାଜ୍ୟରେ ୫ ଜିଲ୍ଲା ସାଙ୍ଗକୁ କିଛି ମ୍ୟୁନିସିପାଲଟି କର୍ପୋରେସନରେ ପ୍ରଥମ ପର୍ଯ୍ୟାୟରେ ଯୁବବର୍ଗଙ୍କୁ ଟୀକାକରଣ କରାଯାଉଥିବା ବେଳେ ଅତଶୀଘ୍ର ରାୟଗଡା ଜିଲ୍ଲାରେ ମଧ୍ୟ ୧୮ ରୁ ୪୪ ବର୍ଷର ଯୁବବର୍ଗଙ୍କୁ ଟୀକାକରଣ ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।