ରାୟଗଡ଼ା: ଗ୍ରେଡ ପେ ବୃଦ୍ଧି ଦାବିରେ ପୁଣି ଆନ୍ଦୋଳନ ଚେତାବନୀ ଦେଲେ ଅମଲା ସଂଘ । ଖୋଲା ଚ୍ୟାଲେଞ୍ଜ କରି ରାଜ୍ୟ ସରକାରଙ୍କ ବିରୁଦ୍ଧରେ ସଂଘ ଯୁଦ୍ଧ ଡାକରା ଦେଇଛି । ମିଶନ ଗ୍ରେଡ ପେ ୪୨୦୦ ଟଙ୍କା କରାନଗଲେ ଆସନ୍ତା ଜୁନ ୧ ତାରିଖଠାରୁ ସମୂହ ଛୁଟିରେ ଯିବେ ବୋଲି ଚେତାବନୀ ଦେଇଛି । ଏହି ପରିପ୍ରେକ୍ଷୀରେ ସୋମବାରଠାରୁ ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଜିଲ୍ଲାରେ କାର୍ଯ୍ୟରତ ଅମଲା କର୍ମଚାରୀମାନେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିବାକୁ ଚେତାବନୀ ଦିଆଯାଇଛି ।
ରାୟଗଡ଼ା ଜିଲ୍ଲା ଅମଲା ମଞ୍ଚର ଏକ ବୈଠକ ଅମଲା ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସଭାପତି ଅରୁଣ କୁମାର ପାଢୀଙ୍କ ନେତୃତ୍ବରେ ଶତାଧିକ ଅମଲା ଉପସ୍ଥିତ ପୁଣି ଆନ୍ଦୋଳନ ପାଇଁ ସଜ ହେବାକୁ ନିଷ୍ପତ୍ତି ନେଇଛନ୍ତି । ସରକାରଙ୍କ ନିକଟରେ ଅମଲା ସଂଘର ଗୋଟିଏ ଦାବି ମିଶନ ଗ୍ରେଡ ପେ' ୪୨୦୦ ଟଙ୍କା କରାଯାଉ । ପ୍ରତିଶୃତି ପରେ ମଧ୍ୟ ଦାବି ପୂରଣ ନହେବାରୁ ରାଜ୍ୟ ଅମଲା ମିଳିତ ମଞ୍ଚ ଡାକରାରେ ଜିଲ୍ଲାର ୪୦୦ ଅମଲା କର୍ମଚାରୀମାନେ ଆସନ୍ତା ୨୨ ତାରିଖଠାରୁ ୩୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଚ ପରିଧାନ କରି ପ୍ରତିବାଦ କରିବେ । ଯଦି ଏହି ସମୟ ମଧ୍ୟରେ ସରକାର କୌଣସି ନିଷ୍ପତ୍ତି ନନିଅନ୍ତି ତେବେ ଆସନ୍ତା ୧ ତାରିଖଠାରୁ ସମସ୍ତେ ସମୂହ ଛୁଟିରେ ରହିବେ ବୋଲି ସଂଘର ସଭାପତି ଅରୁଣ କୁମାର ପାଢୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାମ୍ବାଦିକ ସମିଳନୀରେ ଚେତାବନୀ ଦିଆଯାଇଛି ।