ରାୟଗଡ଼ା: ରବି ଧାନ ଚାଷ କରି ହରଡ଼ଘଣାରେ ଏବେ ଚାଷୀ । ମୁଣ୍ଡ ଝାଳ ତୁଣ୍ଡେ ମାରି ଧାନ ଚାଷକରି ହନ୍ତସନ୍ତ ହେଉଛନ୍ତି ମୁନିଗୁଡା ବ୍ଲକର ଚାଷୀ। ପଞ୍ଜିକରଣ କରିବା ପରେ ଚାଷୀ ଟୋକନ ପାଇ ମଣ୍ଡିରେ ଧାନ ଗଦା କରିଛନ୍ତି । ହେଲେ ଏ ଯାଏଁ ଉଠି ପାରୁନାହିଁ ମଣ୍ଡିରୁ ଧାନ । ଫଳରେ ଶହ ଶହ କ୍ବିଣ୍ଟାଲ ଧାନ ଏବେ ବର୍ଷରେ ଭିଜି ଗଜା ହେଲାଣି । ଯାହାକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।
ସେପଟେ କିଛିଦିନ ହେଲା ବର୍ଷା ଲାଗିରହିବା ସହ ଆଗାମୀ 3ଦିନ ପର୍ଯ୍ୟନ୍ତ ଜିଲ୍ଲାକୁ ୟେଲୋ ୱାର୍ନିଙ୍ଗ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ଏବେବି ମୁନିଖୋଲ ସ୍ଥିତ ଗ୍ରାମ ପଞ୍ଚାୟତ ମଣ୍ଡିରେ ହଜାରରୁ ଅଧିକ କ୍ବିଣ୍ଟାଲ ଧାନ ପଡି ରହିଛି । ଧାର କରଜ କରି ଚାଷ କରିଥିବା ଚାଷୀ ଏବେ ଉତ୍ପାଦିତ ଧାନକୁ ବିକ୍ରି କରି ନପାରିବାରୁ ଚିନ୍ତାରେ ପଡିଯାଇଛି । ତେଣୁ ଯଥାଶୀଘ୍ର ମଣ୍ଡିରୁ ଧାନ ଉଠାଇବା ପାଇଁ ପ୍ରଶାସନକୁ ନେହୁରା ହୋଇଛି ଚାଷୀ ।