ରାୟଗଡା: ଜିଲ୍ଲାରେ 72ତମ ଜିଲ୍ଲା ପରିଷଦ ବୈଠକ ଶୁକ୍ରବାର ସ୍ଥାନୀୟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ତେବେ ସାଂସଦ ପାଣ୍ଠିରୁ ସଠିକ୍ ରୂପେ ଟଙ୍କା ଖର୍ଚ୍ଚ ନହେଉଥିବା ପ୍ରସଙ୍ଗରେ ବୈଠକରେ ପ୍ରଶ୍ନ ଉଠିଥିବା ସୂଚନା ମିଳିଛି ।
ସାଂସଦ ପାଣ୍ଠି ଖର୍ଚ୍ଚ ନେଇ ଜିଲ୍ଲାପରିଷଦ ବୈଠକରେ ଉଠିଲା ପ୍ରଶ୍ନ ବୈଠକ ଆରମ୍ଭରେ ଜିଲ୍ଲାର ମୌଳିକ ସମସ୍ୟା ସଂମ୍ପର୍କରେ ଆଲୋଚନା କରାଯିବା ସହିତ ରାଜ୍ୟ ସରକାର ଏଥିନେଇ ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ସଂମ୍ପର୍କରେ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା ସଭାରେ ଆଲୋଚନା କରିଥିଲେ । ତେବେ ଏହି ଆଲୋଚନା ସମୟରେ କୋରାପୁଟ ଲୋକସଭା ସାଂସଦ ପାଣ୍ଠିରୁ ସଠିକ୍ ରୂପେ ଟଙ୍କା ଖର୍ଚ୍ଚ ନହେଉଥିବା ଓ ଏଥିନେଇ ଜିଲାପ୍ରଶାସନ ଦୃଷ୍ଟି ଦେଉନଥିବା କହି ସଭାରେ କ୍ଷୋଭ ପ୍ରକାଶ କରିଥିଲେ ସାଂସଦ ସପ୍ତଗିରି ଉଲ୍ଲାକା ।
ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ସାଂସଦ ପାଣ୍ଠି ବିନିଯୋଗ ନହୋଇ ପଡ଼ିରହିଥିବା ପ୍ରସଙ୍ଗରେ ବୈଠକରେ ଉଦବେଗ ପ୍ରକାଶ ପାଇଥିଲା । ଏପରିକି ପୂର୍ବତନ ସାଂସଦଙ୍କ ନିଜ ପାଣ୍ଠି ଖର୍ଚ୍ଚ ହୋଇ ନପାରି ତାଙ୍କର ସାଂସଦ ପାଣ୍ଠିରୁ ୧୧ କୋଟି ଟଙ୍କା ସରକାରଙ୍କ ନିକଟକୁ ଫେରିଯାଇଥିବା କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା ପ୍ରକାଶ କରିଛନ୍ତି । ସାଂସଦଙ୍କ ପାଣ୍ଠି ଯୋଗାଣରେ ବୈଷୟିକ ତୃଟି ରହିଛି ଏଣୁ ଅର୍ଥ ଖର୍ଚ୍ଚ ହୋଇପାରୁନାହିଁ । ତେବେ ଏହି ସମସ୍ୟା ସଂପର୍କରେ ସଂସଦଙ୍କ ସହ ଆଲୋଚନା କରାଯାଇ ଏହାର ସମାଧାନ କରାଯିବ ବୋଲି କହିଛନ୍ତି ରାୟଗଡ଼ା ଜିଲ୍ଲାପାଳ ।
ଏହି ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲାଙ୍କ ସଭାପତିତ୍ବରେ ଆୟୋଜିତ ହୋଇଥିଲା । ବୈଠକରେ କୋରାପୁଟ ଲୋକସଭା ସାଂସଦ ସପ୍ତଗିରି ଉଲ୍ଲାକା, ରାଜ୍ୟସଭା ସାଂସଦ ଏନ ଭାଷ୍କର ରାଓ, ବିଜୁସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଉପଦେଷ୍ଟା ସୁଧିର ଦାଶ, ରାୟଗଡା ବିଧାୟକ ମକରନ୍ଦ ମୁଦୁଲିଙ୍କ ସମେତ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗୋ ପ୍ରମୁଖ ବୈଠକରେ ଉପସ୍ଥିତ ରହିଥିଲେ ।
ରାୟଗଡାରୁ ରଞ୍ଜନ କୁମାର ନାଥ, ଇଟିଭି ଭାରତ