ରାୟଗଡା:କାଶୀପୁର ବ୍ଲକ କଂସାରିଗୁଡାରେ ହିଣ୍ଡାଲକୋ ପକ୍ଷରୁ ୨ ମିଲିୟନ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନା କାରଖାନା ପ୍ରତିଷ୍ଠା ପାଇଁ ଜନ ଶୁଣାଣି ଅନୁଷ୍ଠିତ ହୋଇଛି । ଏହି କାରଖାନା ପ୍ରତିଷ୍ଠା ପାଇଁ ସ୍ଥାନୀୟ ଲୋକଙ୍କ ସହମତି ଦେଇଛନ୍ତି । କାରଖାନା ପ୍ରତିଷ୍ଠା ସହ ଅଞ୍ଚଳର ବିକାଶ ହେଲେ ଲୋକେ କାରଖାନାକୁ ସ୍ଵାଗତ କରିବେ ବୋଲି ଆଜିର ଜନ ଶୁଣାଣିରେ ସ୍ଥାନୀୟ ଲୋକେ ସ୍ପଷ୍ଟ କରିଛନ୍ତି ।
ରାୟଗଡାରେ ହିଣ୍ଡାଲ-କୋ କାରଖାନା ପାଇଁ ଜନ ଶୁଣାଣି, ପ୍ରକଳ୍ପକୁ ସ୍ବାଗତ କଲେ ଗ୍ରାମବାସୀ ଲୋକଙ୍କ ଦାବି ମୁତାବକ, ସବୁପ୍ରକାର ବ୍ୟବସ୍ଥା କରାଯିବ ବୋଲି ଆଜି ପୋଡାପାଡି ପଞ୍ଚାୟତର ପୁହୁଣ୍ଡି ଗ୍ରାମରେ ଥିବା ଉତ୍କଳମଣୀ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ଆୟୋଜିତ ଜନ ଶୁଣାଣିରେ ହିଣ୍ଡାଲକୋ କାରଖାନା ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି । ରାଜ୍ୟ ସରକାରଙ୍କ ସହ ଖଣି ଚୁକ୍ତି ହେବାର ଗୋଟିଏ ମାସ ମଧ୍ୟରେ କଂସାରୀଗୁଡା କାରଖାନା ପ୍ରତିଷ୍ଠା ପାଇଁ କାର୍ଯ୍ୟ ଆରମ୍ଭ କରାଯିବ ବୋଲି ହିଣ୍ଡାଲକୋର ବରିଷ୍ଠ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ମିଶ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।
କାଶୀପୁର ବ୍ଲକର କଂସାରିଗୁଡା ଠାରେ ହିଣ୍ଡୋଲ-କୋ କାରଖାନା କର୍ତ୍ତୃପକ୍ଷ 3 ମିଲିୟନ୍ ଟନ ଉତ୍ପାଦନ କ୍ଷମାତା ବିଶିଷ୍ଟ ରିଫାଇନାରୀ ୟୁନିଟ୍ ସହ 150 ମେଗାୱାଟ୍ ବିଶିଷ୍ଟ ନିଜସ୍ବ ପାୱାର୍ ପ୍ଲାଣ୍ଟ୍ ପ୍ରତିଷ୍ଠା କରିବ । ତେବେ ବହୁ ବାଦବିବାଦ ପରେ ଆଜି ପରିବେଶ ପ୍ରଦୂଷଣ ପାଇଁ ଶୁଣାଣି ହୋଇଥିବାବେଳେ ସ୍ଥାନୀୟ ଲୋକେ,ପ୍ରଭାବିତ ଓ ଜମିହରା ଲୋକେ କାରଖାନା ପ୍ରତିଷ୍ଠା ସପକ୍ଷରେ ଯୁକ୍ତି ବାଢିଥିବା ଦେଖିବାକୁ ମିଳିଛି।
କାରଖାନା ହେବ ହେବ ବୋଲି ଉଭୟ ରାଜ୍ୟ ସରକାର ଓ କାରଖାନା କର୍ତ୍ତୃପକ୍ଷଙ୍କ ତରଫରୁ ଦୀର୍ଘ 15 ବର୍ଷ ଧରି ପ୍ରତିଶ୍ରୁତି ଦିଆଯାଇଥିବାବେଳେ ଆଜିର ଶୁଣାଣିରେ କେବେ କାରଖାନା ଆରମ୍ଭ ହେବ ବୋଲି ପ୍ରଭାବିତମାନେ ପ୍ରଶ୍ନ କରିଥିଲେ । ଆଜି କଡା ସୁରକ୍ଷା ମଧ୍ୟରେ ପୁହୁଣ୍ଡି ଉଚ୍ଚ ବିଦ୍ୟାଳୟରେ ଜନ ଶୁଣାଣି ହୋଇଥିବାବେଳେ ରାୟଗଡା ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନ,ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପ୍ରଶାନ୍ତ କର ଓ କାରଖାନା କର୍ତ୍ତୃପକ୍ଷଙ୍କ ଉପସ୍ଥିତ ଥିଲେ।
ଆଜିର ଶୁଣାଣିରେ ଉଭୟ କାରଖାନା ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମତକୁ ପ୍ରାଧାନ୍ୟ ଦିଆଯାଇଥିଲା। ଶୁଣାଣୀର ପ୍ରାରମ୍ଭରୁ ଶେଷ ପର୍ଯ୍ୟନ୍ତ ଭିଡିଓ ରେକର୍ଡିଂ କରାଯାଇଥିବାବେଳେ କେବଳ ଜଣକୁ ଛାଡିଲେ ସମସ୍ତ ପ୍ରଭାବିତ ଓ ଜମିହରା ଲୋକେ କରାଖାନା ପ୍ରତିଷ୍ଠା ସପକ୍ଷରେ ଯୁକ୍ତି ବାଢିଥିଲେ । ଜମିହରାମାନେ କାରଖାନାକୁ କେବେ ହେଲେ ବିରୋଧ କରି ନଥିବାବେଳେ କାରଖାନା ପ୍ରତିଷ୍ଠା ହେଲେ ଅଞ୍ଚଳର ବିକାଶ ହେବା ସହ ନିଯୁକ୍ତି,ଶିକ୍ଷା,ସ୍ବାସ୍ଥ୍ୟ ଓ ଗମନାଗମନର ରୂପରେଖ ବଦଳିବା ପାଇଁ ଲୋକେ ପ୍ରସ୍ତାବ ଦେଇଥିଲେ ।
ପ୍ରଭାବିତ କଂସାରୀଗୁଡା ଓ ପୋଡାପାଡି ଗ୍ରାମ ପଞ୍ଚାୟତ ସମେତ ସମସ୍ତ ପଞ୍ଚାୟତ ମୁଖ୍ୟାଳୟରେ ହାଇସ୍କୁଲ,ସ୍ବାସ୍ଥ୍ୟ କେନ୍ଦ୍ର ଓ ଅଞ୍ଚଳର ବିକାଶ ପାଇଁ କାରଖାନା କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ପ୍ରଭାବିତ ମାନେ ପ୍ରସ୍ତାବ ରଖିଥିଲେ । ତେବେ ଲୋକଙ୍କ ସମସ୍ୟାକୁ ଜନ ଶୁଣାଣଇରେ ଗୁରୁତ୍ବର ସହ ବିଚାର କରି ଲୋକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ହିଣ୍ଡାଲ କୋ ସମସ୍ତ ପ୍ରକାର କାର୍ଯ୍ୟ ହାତକୁ ନେବ ବୋଲି କମ୍ପାନୀର ବରିଷ୍ଠ ନିର୍ଦ୍ଦେଶକ ସୂର୍ଯ୍ୟକାନ୍ତ ମିଶ୍ର ପ୍ରତିଶ୍ରୁତି ଦେଇଥିଲେ ।
ପ୍ରକଳ୍ପ ନିର୍ମାଣ ପାଇଁ ମୁଖ୍ୟତଃ କଞ୍ଚାମାଲ୍ ଭାବେ 9.3 ମିଲିୟନ୍ ଟନ୍ ବକ୍ସାଇଟ,2.04.000 କାଉଣ୍ଟିକ୍ ସୋଡା,90.000 ଟନ୍ ଲାଇମ ଅଏଲ,1350 ଟନ୍ ସିନ୍ଥୋଟିକ୍ ଫ୍ଲୋକୁଲାଣ୍ଟ ଓ ବାର୍ଷିକ 2.13.000 ଟନ୍ କୋଇଲାର ଆବଶ୍ୟକତା ପଡୁଥିବା ବେଳେ କୋଡିଙ୍ଗାମାଳି ଖଣି ସହ ଅନ୍ୟ ଖଣିରୁ ବକ୍ସାଇଡ୍ ଯୋଗାଣ ପାଇଁ ରାଜ୍ୟ ସରକାରଙ୍କ ସହ ଚୁକ୍ତି କରାଯିବ ବୋଲି କୁହାଯାଇଛି । ତେବେ ପରିବେଶ ଶୁଣାଣୀ ବେଳେ କାରଖାନା କର୍ତ୍ତୃପକ୍ଷଙ୍କ ଏପରି ନିର୍ଭରଯୋଗ୍ୟ ପ୍ରତିଶ୍ରୁତି ମିଳିବା ପରେ ଦୀର୍ଘ 15 ବର୍ଷ ଧରି ଜମି ହରାଇଥିବା ଏକାଧିକ ଲୋକେ ଖୁସିରେ କାନ୍ଧି ପକାଇଥିଲେ ।
ପ୍ରକାଶ ଥାଉ କି 2003 ମସିହାରେ ରାୟଗଡା ଜିଲ୍ଲା କାଶୀପୁର ବ୍ଲକର କଂସାରୀଗୁଡାରେ ହିଣ୍ଡାଲ-କୋ କାରଖାନା ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ପରିକଳ୍ପନା କରିଥିଲେ । ଆଉ ସରକାରଙ୍କ ସହ ଏମ୍ଓୟୁ ସ୍ବାକ୍ଷର ହେବା ପରେ 2004-05 ମସିହାରେ କଂସାରୀଗୁଡାରେ କମ୍ପାନୀ ପ୍ରତିଷ୍ଠା ପାଇଁ ଭିତ୍ତିଭୂମି ପ୍ରସ୍ତୁତ କରାଯାଇଥିଲା । ଶେଷରେ କଂସାରୀଗୁଡା,ଫୁଲଜବା,କାରାପଦର,ପୁହୁଣ୍ଡି,କାଣ୍ଡିସିଲ୍ ଓ ପୋଡାପାଡି ପରି ପ୍ରାୟ 16 ଖଣ୍ଡ ଗ୍ରାମର ପ୍ରାୟ 12ଶହ ଲୋକଙ୍କ ଜମି ସହ ପାଖାପାଖି 1886.22 ଏକର ଜମିକୁ ଇଡକୋ ଜରିଆରେ ଅଧିଗ୍ରହଣ କରାଯାଇଥିଲା । ଜମିହରାଙ୍କୁ କ୍ଷତିପୂରଣ ବାବଦକୁ ଏକର ପିଛା 3,44,000 ଟଙ୍କା ପ୍ରଦାନ କରାଗଲା । ଯେଉଁଥିରେ ରାୟଗଡା ଜିଲ୍ଲାର 47.56 ଏକର ସରକାରୀ,920.21 ଏକର ବେସରକାରୀ,କୋରାପୁଟ ଜିଲ୍ଲାରୁ 478.30 ଏକର ସରକାରୀ ଓ 439.45 ଏକର ବେସରକାରୀ ଜମି ଅଧିଗ୍ରହଣ ହୋଇ ସାରିଛି ।
ତେବେ ଅଧିଗ୍ରହଣ ହୋଇଥିବା ଜମି ମଧ୍ୟରୁ 1385.39 ଏକର ରିଫାଇନେରୀ ୟୁନିଟ୍ ପ୍ରତିଷ୍ଠା ଲାଗି ହିଣ୍ଡାଲ-କୋ କୁ ଦିଆଯାଇଥିଲା । କିନ୍ତୁ ଅଧିଗ୍ରହଣର 15 ବର୍ଷ ପରେ ମଧ୍ୟ କଂସାରୀଗୁଡାରେ କାରଖାନା ପ୍ରତିଷ୍ଠା ପାଇଁ ମାଟି ମୁଠାଏ ପଡିଲାନାହିଁ । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ବାରମ୍ବାର ଆନ୍ଦୋଳନ ସହ ପ୍ରଭାବିତ ଓ ବିସ୍ଥାପିତମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଥିଲେ । ଆଉ ଲୋକଙ୍କ ସହମତିକୁ ଅନୁଭବ କରି ରାଜ୍ୟ ସରକାର ପୁଣି ଥରେ କାରଖାନା ପ୍ରତିଷ୍ଠା ପାଇଁ ସବୁଜ ସଙ୍କେତ ପ୍ରଦାନ କରିଛନ୍ତି । କଂସାରୀଗୁଡାରେ କମ୍ପାନୀ ପ୍ରତିଷ୍ଠା ହେଲେ ପରୋକ୍ଷ ଓ ପ୍ରତ୍ୟକ୍ଷ ଭାବେ ପ୍ରାୟ 10ହଜାରରୁ ଉର୍ଦ୍ଦ୍ବ ଲୋକେ ଉପକୃତ ହୋଇପାରିବେ ବୋଲି କୁହାଯାଇଛି ।
ରାୟଗଡାରୁ ରଞ୍ଜନ କୁମାର ରଥ, ଇଟିଭି ଭାରତ