ରାୟଗଡା:ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ ଚାରିଆଡେ ଦେଖାଗଲାଣି ରାଜନୈତିକ ଉଷ୍ଣତା । ଫେବୃୟାରୀ ୧୬ରୁ ୫ଟି ପର୍ଯ୍ୟାୟରେ ମତାଦାନ ହେବାକୁ ଥିବାବେଳେ ରାୟଗଡା ଜିଲ୍ଲା ସଦର ବ୍ଲକରେ ଚତୁର୍ଥ ପର୍ଯ୍ୟାୟ ଅର୍ଥାତ୍ ଫେବୃୟାରୀ ୨୨ରେ ଭୋଟ୍ ପଡିବ । ୨୮ ଗୋଟି ଗ୍ରାମ ପଞ୍ଚାୟତ, ୨୮ଟି ସରପଞ୍ଚ, ୨୮ ଗୋଟି ସମିତି ସଭ୍ୟ, ୩୨୭ ୱାର୍ଡ ସଭ୍ୟ ଓ ୩ଟି ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ ମତଦାନ ଅନୁଷ୍ଠିତ ହେବ । ଏହି ତ୍ରିସ୍ତରୀୟ ନିର୍ବାଚନରେ ରାୟଗଡ଼ା ବ୍ଲକର ମୋଟ ୮୮, ୧୮୪ ଜଣ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ ବୋଲି ଗ୍ରାମ ପଞ୍ଚାୟତ ସଂପ୍ରସାରଣ ଅଧିକାରୀ ଗୋପାଳ ପଣ୍ଡା ସୂଚନା ଦେଇଛନ୍ତି ।
ସରପଞ୍ଚ ପଦବୀ ଅନୁସୂଚିତ ଜନଜାତି ବର୍ଗ ନିମନ୍ତେ ସଂରକ୍ଷଣ ହୋଇଥିବାବେଳେ କୋତାପେଟା, କାମ୍ପ ମାଲିଗାଁ, କୁଟୁଳି, କୁଲି, କେରେଡା, ଗୁମ୍ମା, ଜେମାଦେଇପେଣ୍ଠ, ତାଡାମା, ନାକିଟି, ପିପଲଗୁଡା, ବଡ ଆଲୁବାଡି, ବାଇଶିଙ୍ଗି, ମାଟିକଣା ଓ ହାଟ ଶେଷଖାଲ ଏଭଳି ୧୪ ଗୋଟି ପଞ୍ଚାୟତର ସରପଞ୍ଚ ପଦବୀ ନିମନ୍ତେ ମହିଳା ପ୍ରାର୍ଥୀ ପ୍ରତିଦ୍ବନ୍ଦିତା କରିବେ । ଅବଶିଷ୍ଟ କାରୁବାଇ, କାର୍ଲାକଣା, କୁମୁଟିପେଣ୍ଠ, କୁମ୍ଭୀକୋଟା, ଗାଜିଗାଁ, ଚାନ୍ଦିଲି, ଡାଙ୍ଗଲୋଡି, ଦୁର୍ଗାପାଡୁ, ପିତାମହଲ, ପେଣ୍ଟା, ବଡ ଇରୁକୁବାଡି, ବୈରାଗୀ ହାଲୁଆ, ମୀରାବାଲି ଓ ହାଲୁଆ ଗ୍ରାମ ପଞ୍ଚାୟତ ନିମନ୍ତେ ଉଭୟ ପୁରୁଷ ଓ ମହିଳା ପ୍ରତିଦ୍ବନ୍ଦିତା କରିପାରିବେ । ଏଥିସହ ବ୍ଲକର ତିନିଗୋଟି ଜିଲ୍ଲା ପରିଷଦ ଜୋନ ମଧ୍ୟରୁ "କ" ଜୋନଟି ଅନୁସୂଚିତ ଜନଜାତି ଏବଂ ଜିଲ୍ଲା ପରିଷଦ "ଖ" ଓ "ଗ" ଉଭୟ ଜୋନ ଅନୁସୂଚିତ ଜନଜାତି (ମହିଳା) ନିମନ୍ତେ ସଂରକ୍ଷିତ ପାଇଁ ଉଦ୍ଧିଷ୍ଟ ହେବ ।
ଜିଲ୍ଲା ପରିଷଦ ଜୋନ (କ)ରେ କୁଟୁଳି, ଗୁମ୍ମା, ତାଡାମା, ନାକିଟି, ମାଟିକଣା, କୁମ୍ଭୀକୋଟା, ଗାଜିଗାଁ, ପିତାମହଲ, ବଡ ଇରୁକୁବାଡି ଓ ହାଲୁଆ ଭଳି ୧୦ ଗୋଟି ଗ୍ରାମ ପଞ୍ଚାୟତର ମୋଟ ୨୮,୫୮୯ ଜଣ ଭୋଟର ଅଛନ୍ତି । ଜିଲ୍ଲା ପରିଷଦ ଜୋନ (ଖ) ରେ କାମ୍ପ ମାଲିଗାଁ, କୁଲି, କେରେଡା, ଜେମାଦେଇପେଣ୍ଠ, ପିପଲଗୁଡା, ବଡ ଆଲୁବାଡି, ବାଇଶିଙ୍ଗି, ହାଟ ଶେଷଖାଲ, କାରୁବାଇ, ଡାଙ୍ଗଲୋଡି, ଦୁର୍ଗାପାଡୁ, ବୈରାଗୀ ହାଲୁଆ ଓ ମୀରାବାଲି ଏଭଳି ୧୩ ଗୋଟି ଗ୍ରାମ ପଞ୍ଚାୟତର ମୋଟ ୨୯,୪୩୯ ଜଣ ଭୋଟର ଅଛନ୍ତି । ଜିଲ୍ଲା ପରିଷଦ ଜୋନ (ଗ)ରେ ପେଣ୍ଟା, କୁମୁଟିପେଣ୍ଠ, କାତାପେଟା , କାର୍ଲକଣା ଓ ଚାନ୍ଦିଲି ଏପରି ୫ ଗ୍ରାମ ପଞ୍ଚାୟତର ୩୦,୧୫୬ ଜଣ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ । ମତଦାନ ଦିନ ଘୋଷଣା ପରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ସମସ୍ତ ଦଳ ଓ ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଛି ।