ରାୟଗଡା:ପୁଣି ସାମ୍ନାକୁ ଆସିଲା ଜନନୀ ଯନ୍ତ୍ରଣାର କରୁଣ ଚିତ୍ର । ଗ୍ରାମକୁ ରାସ୍ତା ନଥିବାରୁ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍ସ । ଶେଷରେ କଷ୍ଟରେ ଜର୍ଜରିତ ହେଉଥିବା ମହିଳାଙ୍କୁ ଧରି ନଦୀ ପାର ହେଲ ପରିବାର ଲୋକେ। ଏଭଳି କରୁଣ ଚିତ୍ର ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲାର କାଶୀପୁର ବ୍ଲକରେ ଗୋରଖପୁର ପଞ୍ଚାୟତ ଅନ୍ତର୍ଗତ କାହ୍ନୁଗୁଡା ଗ୍ରାମରେ । ଏପରି ଦୃଶ୍ୟ ସାମ୍ନାକୁ ଆସିବା ପରେ ରାଜ୍ୟରେ ସ୍ବାସ୍ଥ୍ୟସେବା ଏବଂ ଆମ୍ବୁଲାନ୍ସ ସେବାର ବିକଳ ଚିତ୍ର ପଦାରେ ପଡିଛି ।
ଉକ୍ତ ଗ୍ରାମର ସୁରନ୍ଦର ମାଝୀଙ୍କ ସ୍ତ୍ରୀ ଆରତୀ ମାଝୀ ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସ ଆସିଥିଲା ସତ କିନ୍ତୁ ଉକ୍ତ ଗ୍ରାମକୁ ପକ୍କା ରାସ୍ତା ନଥିବାରୁ ନଦୀ ଡେଇଁ ଆମ୍ବୁଲାନ୍ସ ଗ୍ରାମରେ ପହଞ୍ଚି ପାରିନପାରି ନଦୀ ଆରପଟେ ଅଟକିଯାଇଥିଲା । ଫଳରେ ପରିବାର ଲୋକେ ପ୍ରସବ ବେଦନାରେ ଛଟପଟ ହେଉଥିବା ଗର୍ଭବତୀ ମହିଳାଙ୍କୁ ଭରା ନଦୀରେ ବିପଦ ପୂର୍ଣ୍ଣ ଭାବେ ବୋହି ନେଇ ଆମ୍ବୁଲାନ୍ସ ନିକଟରେ ପହଞ୍ଚାଇଥିଲେ । ଏହା ପରେ ତାଙ୍କୁ କାଶୀପୁର ଗୋଷ୍ଠୀସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା ।
ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିବା ଡାକ୍ତର ସୂଚନା ଦେଇଥିଲେ । ତେବେ ଏଠି ପ୍ରଶ୍ନ ଉଠୁଛି ଯଦି ରାସ୍ତା ନଥିବାରୁ ଖରା ଦିନେ ନଦୀ ପାର ହୋଇ ରୋଗୀଙ୍କୁ ଡାକ୍ତର ଖାନାକୁ ନେବାକୁ ପଡୁଛି ତେବେ ବର୍ଷା ଋତୁରେ ଏଠିରେ ଲୋକେ କିପରି ସ୍ବାସ୍ଥ୍ୟ ସେବା ପାଇପାରୁଥିବେ ତାହା ବେଶ ଅନୁମେୟ କରି ହେଉଛି ।