ରାୟଗଡା:ଗାଁରେ ନାହିଁ ରାସ୍ତା । ଆସିପାରିଲା ନାହିଁ ଆମ୍ବୁଲାନ୍ସ । ଫଳରେକାଉଡ଼ିରେ ବୁହା ହେଲେ ଗର୍ଭବତୀ ମହିଳା । ମହିଳା ଜଣଙ୍କ ପ୍ରସବ ବେଦନାରେ ଛଟପଟ ହେବାରୁ ଖଟିଆରେ ବୁହା ହେଲେ ଗର୍ଭବତୀ ମହିଳା । ସ୍ବାସ୍ଥ୍ୟବସ୍ଥାର ଏଭଳି ବିକଳ ଚିତ୍ର ଦେଖିବାକୁ ମିଳିଛି । ରାୟଗଡା ଜିଲ୍ଲା ଖେଦାପଡା ପଞ୍ଚାୟତର ପାଇକ ଝଡି ଗାଁରେ । ଗର୍ଭବତୀ ମହିଳାଙ୍କର ପ୍ରସବ ବେଦନା ବଢିବାରୁ ପରିବାର ଲୋକ ବାଧ୍ୟ ହୋଇ କାଉଡ଼ିରେ ବୋହି ଡାକ୍ତରଖାନାକୁ ନେଇଛନ୍ତି ।
ନିର୍ବାଚନ ଆସିଲେ ନେତା ମନ୍ତ୍ରୀଙ୍କର ଗାଁରେ ପାଦ ପଡେ । ଆଉ ମିଳେ ପୁଳା ପୁଳା ପ୍ରତିଶୃତି । ପ୍ରତିଶୃତିର ପାହାଡ ଲଦି ଦେଇ ନେଇ ଯାଆନ୍ତି ଗାଁ ଲୋକଙ୍କ ଠାରୁ ଭୋଟ । ନିର୍ବାଚନ ସରିଗଲା ପରେ ନେତାଙ୍କର ପ୍ରତିଶୃତି ପାଣିର ଗାର ପାଲଟି ଯାଏ । ନା ଦେଖାଥାଏ ନେତାଙ୍କର ନା ପ୍ରତିଶୃତି ବାସ୍ତବ ରୂପ ନେଇଥାଏ । ସେପଟେ ସରକାର ମହିଳାଙ୍କ ମାଳମାଳ ଯୋଜନା କରିଥିବା ବେଳେ ସବୁକିଛି ଏଠି ଫେଲ ମାରିଛି । ସରକାରଙ୍କର ବିକାଶ ଗାଡି ଯେମିତି ଅଧାରେ ଅଟକି ଯାଇଛି । ଖେଦାପଡା ପଞ୍ଚାୟତର ପାଇକ ଝଡି ଗାଁକୁ ରାସ୍ତାଟିଏ ନାହିଁ । ଆମ୍ବାଲାନ୍ସ ଆସିବା ଦୂରର କଥା ବାଇକ ମଧ୍ୟ ଏଠାକୁ ଆସିବା ମୁସ୍କିଲ । ରାସ୍ତା ପାଇଁ ପ୍ରଶାସନକୁ ଗୁହାରି କଲେ ମଧ୍ୟ କେହି ଏଥିପାଇଁ କର୍ଣ୍ଣପାତ କରିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ରାସ୍ତା ନଥିବାରୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।