ରାୟଗଡା: ସୀମାରେ ମାଓ ହିଂସା ପରେ ବଡ ଧରଣର ଅପରେସନ ପାଇଁ ଗଲେ ଯବାନ । ଅଳ୍ପ ଦିନର ବ୍ୟବଧାନରେ କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ଦୁଇଟି ବଡ ଧରଣର ମାଓ ହିଂସା ପରେ ତତ୍ପର ହୋଇ ଉଠିଛି ରାୟଗଡା ପୋଲିସ । ରାୟଗଡା ଜିଲ୍ଲା ଭିତରେ ମାଓବାଦୀ ହିଂସା ଏଡାଇବା ପାଇଁ ଯବାନଙ୍କ ପକ୍ଷରୁ ଆରମ୍ଭ ହୋଇଛି ଏକ ବଡଧରଣର ଅପରେସନ୍ ।
ଆଜି ଠାରୁ ଏହି ଅପରେସନ ଆରମ୍ଭ ହୋଇଥିବାବେଳେ ପଞ୍ଚାୟତ ନିର୍ବାଚନ ଶେଷ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି ସୂଚନା ଦେଇଛନ୍ତି ରାୟଗଡା ଏସପି । ପଞ୍ଚାୟତ ନିର୍ବାଚନରେ ହିଂସାକାଣ୍ଡ ଘଟାଇବା ଲକ୍ଷ୍ୟରେ ମାଓବାଦୀ ରାୟଗଡା, କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାକୁ ଟାର୍ଗେଟ କରିଛନ୍ତି । ଏହି ୩ ଜିଲ୍ଲାର ସୀମାନ୍ତରେ ମାଓବାଦୀଙ୍କ ଭିନ୍ନ ଭିନ୍ନ ଟିମ ଘୁରି ବୁଲିବା ସହ ପଞ୍ଚାୟତ ନିର୍ବାଚନକୁ ବିଫଳ କରିବା ପାଇଁ ଉଦ୍ୟମ ଜାରି ରଖିଥିବା ଗୁଇନ୍ଦା ସୂଚନା ଦେବା ପରେ ଆରମ୍ଭ ହୋଇଛି ଏହି ଅପରେସନ ।
ଏସଓଜି,ଡିଭିଏଫ, ବିଏସଏଫ ଏବଂ ସିଆରପିଏଫ ଯବାନଙ୍କୁ ଆଜି ଠାରୁ କୁମ୍ବିଂ ଅପରେସନ ନିୟୋଜିତ କରାଯାଇଛି । ରାୟଗଡା ଜିଲ୍ଲା ସୀମାକୁ ଲାଗିଥିବା କଳାହାଣ୍ଡି ଓ କନ୍ଧମାଳ ଅଞ୍ଚଳରେ ଜୋରଦାର ଅପରେସନ ଆରମ୍ଭ କରାଯାଇଛି । ବ୍ୟାପକ ଫୋର୍ସ ଆଜି ସେହି ଅଞ୍ଚଳକୁ ଯାଇଛନ୍ତି ।
ଭିନ୍ନ ଭିନ୍ନ ରୁଟରେ ଯାଇ କୁମ୍ବିଂ ଅପରେସନ ଚାଲୁଥିବା ଜଣାପଡିଛି । ମୁଖ୍ୟତଃ ନିୟମଗିରି ପାହାଡ ଅଞ୍ଚଳରେ ଅଧିକ ଫୋର୍ସ ନିୟୋଜିତ ହୋଇଛନ୍ତି । କାରଣ ସୀମାନ୍ତ କଳାହାଣ୍ଡି ଏବଂ କନ୍ଧମାଳ ଜିଲ୍ଲାରେ ମାଓବାଦୀ ହିଂସାକାଣ୍ଡ ଘଟାଇ ନିୟମଗିରି ପାହାଡକୁ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରୁଛନ୍ତି ବୋଲି ସୂଚନା ରହିଛି ।