ରାୟଗଡା: ପ୍ରତି ମୂହୁର୍ତ୍ତରେ ବିପଦ । କେତେବେଳେ କଣ ହେବ ଲାଗି ରହୁଛି ଡର । ତଥାପି ଆଗେଇ ଚାଲିଛନ୍ତି ରାୟଗଡାବାସୀ । କାରଣ ନ ଆଗେଇଲେ ନିତିଦିନିଆ କାମ କିପରି ହେବ । ଆମେ କହୁଛୁ ସହରର ଲାଇଫ ଲାଇନ କୁହାଯାଉଥିବା ଫ୍ଲାଏଓଭର ବ୍ରିଜ କଥା ଯାହା ବର୍ତ୍ତମାନ ଭଙ୍ଗାଦଦରା ଅବସ୍ଥାରେ ରହିଛି ।
ଆନ୍ଧ୍ର ଓ ଛତିଶଗଡକୁ ସଂଯୋଗ କରୁଥିବା 326 ନମ୍ବର ଜାତୀୟ ରାଜପଥର ଏହି ଓଭରବ୍ରିଜଟି ସମ୍ପୂର୍ଣ୍ଣ ଖାଲ ଖମାରେ ଭର୍ତ୍ତି ହୋଇଗଲାଣି । ଏପରିକି କଙ୍କ୍ରିଟ ଝଡି ଲୁହା ରଡ ସବୁ ଆଁ କରିଛି । ପୁଣି ସେପଟେ ବ୍ରିଜ ଉପରେ ଅନାବନ ଗଛ ଉଠି ବ୍ରିଜର ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି ।
ପ୍ରତି ଦିନ ହଜାର ହଜାର ଯାନବାହନ ଏହି ଓଭର ବ୍ରିଜ ଦେଇ ଯାତାୟତ କରିଥାଏ । ପୁଣି ଓଭରବ୍ରିଜ ତଳେ ଥିବା ପରିବା ଦୋକାନରେ ଲାଗି ରହିଥାଏ ଲୋକଙ୍କ ଭିଡ । ହେଲେ ଏହି ବ୍ରିଜ ଏବେ ପାଲଟିଛି ମରଣଯନ୍ତା । କେତେବେଳେ ଯେ ଓଭର ବ୍ରିଜଟି ଗଳି ପଡିବ, ତାହା କହି ହେବନି ।