ରାୟଗଡ଼ା: କାଶୀପୁର ବ୍ଲକରେ ବାଟ ହୁଡିଛି ବିକାଶ । ଅଭିଶପ୍ତ ହୋଇଛି ଗଡରାମୁହିଁ ଗାଁ । ଅପହଞ୍ଚ ହୋଇଛି ସରକାରୀ ଯୋଜନା । ଯୁଗଯୁଗରୁ ପ୍ରକୃତିକୁ ଧରି ଜୀଇଁ ଆସୁଥିବା ଗାଁ ଲୋକେ କେବଳ ଲୁହ ଗଡାଇ ଚାଲିଛନ୍ତି । ଗାଁରେ ମୌଳିକ ସୁବିଧା ନାହିଁ । ତଥାପି ପୁରୁଷ ପୁରୁଷର ଭିଟାମାଟି ଛାଡିପାରୁ ନାହାନ୍ତି ଲୋକେ । କାଶୀପୁର ବ୍ଲକର ଏଭଳି ଏକ ଗାଁ ହେଉଛି ଗଡରାମୁହିଁ ।
ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଗୋଡିବାଲି ପଞ୍ଚାୟତ ଅନ୍ତର୍ଗତ ଗଡରାମୁହିଁ ଗାଁ ସତେ ଯେମିତି ଅଭିଶପ୍ତ ପାଲଟିଯାଇଛି । ଏଠି ବସବାସ କରୁଥିବା ଲୋକେ ବଞ୍ଚିବା ପାଇଁ ଦିନରାତି ସଙ୍ଘର୍ଷ କରିଚାଲିଛନ୍ତି । ଗାଁ ଲୋକଙ୍କ ପାଇଁ ସାଧାରଣ ମୌଳିକ ସୁବିଧା ନାହିଁ । ଯାତାୟାତ ପାଇଁ ଦୁର୍ଗମ ଇଲକାର ଗାଁରେ ପଥୁରିଆ ରାସ୍ତା ଭରସା ପାଲଟିଛି । ଏହି ଗାଁରେ ଯୋଗାଯୋଗ ପାଇଁ ନା ରାସ୍ତାଘାଟର ସୁବିଧା ଅଛି ନା ପିଇବା ପାଣିର ବ୍ୟବସ୍ଥା । ମୁନ୍ଦାଏଁ ପାଣି ପାଇଁ ଡହଳ ବିକଳ ଏଠି ଜୀବନ । ବିକାଶର ନାରା ସତେ ଯେପରି ଗାଁରେ ପହଞ୍ଚି ପାରିନାହିଁ । କେଉଁ ଆଦିମ କାଳରୁ ଗଢି ଉଠିଥିବା ଗଡରାମୁହିଁ ଗାଁରେ ଲୋକେ ଟୋପାଏ ସ୍ଵଚ୍ଛ ପାଣି ସାଙ୍ଗକୁ ନିତି ଦିନିଆ ରାସ୍ତା ଖଣ୍ଡିଏ ପାଇଁ ଡହଳ ବିକଳ ହେଉଛନ୍ତି ।