ରାୟଗଡ଼ା: ଜିଲ୍ଲାର କାଶୀପୁର ବ୍ଲକରେ ଗତ ୧ ମାସ ଧରି ଆତଙ୍କ ଖେଳାଇଥିବା ହଇଜା ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଛି । ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୩୦ ତଳକୁ ଖସିଥିବା ବେଳେ ବିଭିନ୍ନ ହସ୍ପିଟାଲରେ ୩୧ ଜଣ ଚିକିତ୍ସା ହେଉଥିବା ନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗ । ଏହି ବ୍ଲକରେ ବର୍ତ୍ତମାନ ଯେଉଁ ହଇଜା ବ୍ୟାପିଛି ତାହାର ମୂଳ କାରଣ ହେଉଛି ଦୂଷିତ ଜଳ ଏବଂ ଖୋଲାରେ ମଳ ତ୍ୟାଗ । ବାହାରେ ମଳମୂତ୍ର ତ୍ୟାଗ କରୁଥିବା ଗାଁକୁ ପ୍ରଶାସନ ଶତପ୍ରତିଶତ ବାହ୍ୟ ମଳମୁକ୍ତ ଗାଁ ଭାବେ ଘୋଷଣା କରିଛି । ମାତ୍ର ହଇଜା ରୋଗ ସରକାରୀ ତଥ୍ୟକୁ ମିଥ୍ୟା ପ୍ରମାଣିତ କରିଛି । ବାହାରେ ମଳତ୍ୟାଗ କରୁଥିବା ଯୋଗୁଁ ହଇଜା ବ୍ୟାପି ଅନେକଙ୍କ ପ୍ରାଣ ନେଇଛି ।
କାଶୀପୁର ବ୍ଲକରେ ପାନୀୟ ଜଳ ଠାରୁ ପାଇଖାନା ପର୍ଯ୍ୟନ୍ତ, ସବୁଠି ମାଳ ମାଳ ସମସ୍ୟା । ବ୍ଲକର ୨୪ଟି ପଞ୍ଚାୟତବାସୀଙ୍କ ପାଇଁ ସ୍ଵଚ୍ଛ ଭାରତ ଯୋଜନାରେ ୨୦୨୦ ସୁଧା ୩୪ ହଜାର ୯୮୪ଟି ଘରକୁ ପାଇଖାନା ଯୋଗାଇ ଦିଆଯାଇଥିବା ଗ୍ରାମ୍ୟ ଜଳ ଏବଂ ପରିମଳ ବିଭାଗର ତଥ୍ୟ କହୁଛି । ଜିଲ୍ଲାରେ ୨୩ କୋଟି ୩୪ ଲକ୍ଷ ଟଙ୍କା ବ୍ୟୟରେ ୧୧ଟି ବ୍ଲକ, ୨ଟି ମ୍ୟୁନିସପାଲିଟି ଏବଂ ଗୋଟିଏ NACରେ ୧ଲକ୍ଷ ୯୪ହଜାର ୫୧୩ଟି ପାଇଖାନା ନିର୍ମାଣ କରି ସରକାରଙ୍କୁ ଖୁସି କରିବା ପାଇଁ ଶତପ୍ରତିଶତ ଗାଁକୁ ବାହ୍ୟ ମଳମୁକ୍ତ ଗାଁ ଭାବେ ଘୋଷଣା କରିଦିଆଗଲା । ହେଲେ ସବୁଠାରୁ ବଡ କଥା କାଶୀପୁର ବ୍ଲକର ତୃଣମୂଳ ସ୍ତରରେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ ।
ଲୋକଙ୍କ ଆବଶ୍ୟକତା ଅନୁଯାୟୀ ପାଇଖାନା ନିର୍ମାଣ ହୋଇନଥିବା ଅଭିଯୋଗ ହୋଇଛି । କେଉଁଠି ପାଇଖାନା ଅଛି ତ ପୁଣି ପାଣି ନାହିଁ, କେଉଁଠି ପାଇଖାନା ଘର ଅଛି କିନ୍ତୁ ଟାଙ୍କି ନାହିଁ । ଫଳରେ ଲୋକଙ୍କ ବ୍ୟବହାରରେ ଆସିପାରୁନି ପାଇଖାନା ଘର । ଏହାକୁ ସ୍ଥାନୀୟବାସୀ ଷ୍ଟୋର ରୁମ ଭାବେ ବ୍ୟବହାର କରୁଛନ୍ତି । ନିର୍ମାଣ ହୋଇଥିବା ପାଇଖାନା ଘରର କବାଟ ନଥିବା ବେଳେ ଛାତ ମଧ୍ୟ ନାହିଁ । ହେଲେ ଜିଲ୍ଲା ପ୍ରଶାସନ କିନ୍ତୁ ନିଜ ପାରିବା ପାଣିଆକୁ ପଦାରେ ପକାଇ ସବୁ ଗାଁରେ ବାହ୍ୟ ମଳ ମୁକ୍ତ ଗାଁର ବିଜ୍ଞାପନ ବୋର୍ଡ ଲଗାଇ ଦେଇ ସବୁ କାମ ସାରିଦେଇଛି । ସେପଟେ ପାଣି ସମସ୍ୟାର ସମାଧାନ ପାଇଁ 2018 ମସିହାରୁ କାଶୀପୁର ବ୍ଲକର ୩୩୮ କୋଟି ୮୨ ଲକ୍ଷ ଟଙ୍କା ବ୍ୟୟରେ ଜଳ ଜୀବିକା ମିଶନ ଜରିଆରେ ୨୪ ପଞ୍ଚାୟତ ଅନ୍ତର୍ଗତ ୪୨୫ ଗ୍ରାମକୁ ପାଇପ ଜଳ ଯୋଗାଣ ପାଇଁ ଏକ ବୃହତ ପ୍ରକଳ୍ପ ଯୋଜନା ହୋଇଛି ସତ କିନ୍ତୁ ଯୋଜନା ତାବାଟରେ ପଡିରହିଛି ।