ରାୟଗଡା: ଆନ୍ଧ୍ରର ଯୋଜନାରେ ଲୋଭାସକ୍ତ ସୀମାନ୍ତ ଓଡିଆ । ହାତରୁ ଖସିବ କି ସୀମାନ୍ତ ଗ୍ରାମ । ସୀମାନ୍ତରେ ବସବାସ କରୁଥିବା ଆବାହମାନ କାଳର ବାସିନ୍ଦାଙ୍କ ମୁହଁରେ ପଶୁନି ଓଡିଆ ଭାଷା । 80 ପ୍ରତିଶତ ସୀମାନ୍ତବାସୀଙ୍କୁ ଓଡିଆ ପରିବର୍ତ୍ତେ ତେଲୁଗୁ ପାଲଟିଛି ମାତୃଭାଷା । ଯେଉଁ କିଛି ଲୋକ ଓଡିଆ କହୁଛନ୍ତି ତାହା ପୁଣି ଆକ୍ଷରିକ ନୁହେଁ ।
ଆନ୍ଧ୍ରର ଆଁରେ ସୀମାନ୍ତ ଅଞ୍ଚଳ, ଓଡିଆ ଅପେକ୍ଷା ତେଲୁଗୁ ଆଦର କେବଳ ଭାଷା ନୁହେଁ ଜୀବନ ଜୀବିକା ସହ ଜୀବନସାଥୀର ବାଛିବା ପାଇଁ ସୀମାନ୍ତ ବାସୀଙ୍କ ପାଇଁ ଆନ୍ଧ୍ର ପାଲଟିଛି ଏକମାତ୍ର ଭରସା । ଏଭଳି ଚିତ୍ର ରାୟଗଡା ଜିଲ୍ଲା ସୀମାନ୍ତରେ ଥିବା ଗୋଟିଏ କି ଦୁଇଟି ଗାଁର ନୁହେଁ । କହିବାକୁ ଗଲେ ସରକାରଙ୍କ ଦ୍ଵାରା ଚିହ୍ନଟ ସୀମାନ୍ତର 61 ଟି ଗାଁରେ ଏକାସ୍ଥିତି ।
ବିକାଶର ବହୁଦୂରରେ ରହିଛି ଏସବୁ ଗାଁ । ଯାହାର ଜ୍ବଳନ୍ତ ଉଦାହରଣ ସାଜିଛନ୍ତି ରାୟଗଡା ଜିଲ୍ଲାର ସାନଲୁକୁଟି ଓ ଆନିଜା ଗାଁ । ଉଭୟ ଗାଁର ଚିତ୍ର ସ୍ପଷ୍ଟ ଭାବେ ବୟାନ କରୁଛି ସ୍ଵାଧିନତାର ଦୀର୍ଘ 70 ପରେ ମଧ୍ୟ ଏମାନେ କେତେ ଅବହେଳିତ ।
ଯାହାର ସୁବିଧା ନେଇ ସାନଲୁକୁଟି ଗାଁକୁ ସଂଯୋଗ କରିବା ପାଇଁ ଆନ୍ଧ୍ର ସରକାର ବ୍ରିଜ ଏବଂ ରାସ୍ତା ନିର୍ମାଣ କରୁଛନ୍ତି । ସେହିପରି ରାୟଗଡ଼ା ବ୍ଲକ୍ କେରେଡା ପଞ୍ଚାୟତ ଅଧୀନରେ ରହିଛି ଓଡିଶା ଆନ୍ଧ୍ରର ସୀମାନ୍ତ ଗାଁ ଅନିଜା । ଏଠି ମଧ୍ୟ ଏକାଚିତ୍ର, ଅନିଜା ଗାଁ ଆନ୍ଧ୍ର ସୀମାନ୍ତରେ ଥିବା ବେଳେ ଗାଁକୁ ଯୋଗାଯୋଗ କ୍ଷେତ୍ରରେ ବାଧକ ସାଜିଛି ନାଗାବଳୀ ନଦୀ ।
ବହୁ ଦାବି ପରେ ମଧ୍ୟ ନାଗାବଳୀ ଉପରେ ପୋଲ ଟିଏ ନିର୍ମାଣ ନ ହେବା ଯୋଗୁଁ ଅନିଜାବାସୀ 2017 ମସିହାରେ ଆନ୍ଧ୍ରରେ ମିଶିବାକୁ ଚେତାବନୀ ଦେଇଥିଲେ । ଏହା ପରେ ପ୍ରଶାସନ ଚେତିବା ସହ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ନାଗାବଳୀ ଉପରେ ପୋଲ ନିର୍ମାଣ ଚାଲିଛି । ତେବେ ନଦୀ ଉପରେ ପୋଲ ନିର୍ମାଣ ପାଇଁ ଓଡ଼ିଶା ସରକାର ସହମତି ଦେବାକୁ 70ବର୍ଷ ଲାଗିଗଲା । ଏବେ ମଧ୍ୟ ଓଡ଼ିଶା ସରକାରଙ୍କ ବହୁ ଯୋଜନା ଗାଁ ଲୋକଙ୍କ ନିକଟରେ ପହଞ୍ଚି ପାରୁନି । ବିକାଶ ଏଠି ବାଟ ହୁଡୁଛି ବୋଲି ଏଠାକାର ଗ୍ରାମବାସୀ କହିଛନ୍ତି ।
ସେହିପରି ଓଡିଶାରେ ବାର୍ଦ୍ଧକ୍ୟ ଭତ୍ତା 5 ଶହ ଟଙ୍କା ମିଳୁଥିବା ବେଳେ ଆନ୍ଧ୍ରରେ 3 ହଜାର ଟଙ୍କା ମିଳୁଛି । ପ୍ରତି ଗାଁ ପିଛା ଆନ୍ଧ୍ର ସରକାର ସ୍ବେଚ୍ଛାସେବୀ ନିଯୁକ୍ତି କରି ଜମିଜମା ସମସ୍ୟାଠୁ ଆରମ୍ଭ କରି ସ୍ବାସ୍ଥ୍ୟସେବା, ଶିକ୍ଷା, ରାସନ ସାମଗ୍ରୀ ଘରେ ପହଞ୍ଚାଇବା ଦିଗରେ କାମ କରୁଛନ୍ତି । ସବୁ ସୁବିଧା ସୁଯୋଗ କାରଣରୁ ଓଡ଼ିଶା ସହ ଆମର ସମ୍ପର୍କ କମିବାରେ ଲାଗିଛି ବୋଲି ଏମାନେ ଅଭିଯୋଗ କରିଛନ୍ତି ।
ଏପରିକି ଗ୍ରାମର ଅଧିକାଂଶ ଝିଅ ଆନ୍ଧ୍ରରେ ବିବାହ ହୋଇଥିବାବେଳେ ଗ୍ରାମର ପୁଅଙ୍କ ପାଇଁ ବୋହୂ ମଧ୍ୟ ଆନ୍ଧ୍ରରୁ ଆସିଥିବା ଗ୍ରାମବାସୀ ମାନେ କହନ୍ତି । କେବଳ ସେତିକି ନୁହଁ ପେନସନ୍, ସ୍ବାସ୍ଥ୍ୟ ସେବା, ଶିକ୍ଷା ବ୍ୟବସ୍ଥା, ମୋବାଇଲ୍, ଯୋଗାଯୋଗ ସବୁ କ୍ଷେତ୍ରରେ ଓଡ଼ିଶାଠୁ ବହୁ ଆଗରେ ରହିଛି ଆନ୍ଧ୍ର । ଓଡ଼ିଶାରେ ଆମେ ରହୁଥିଲେ ମଧ୍ୟ ଆନ୍ଧ୍ର ଆମକୁ ଓଡିଶା ବାସିନ୍ଦା ନ ଭାବି ପ୍ରତ୍ୟେକ କ୍ଷେତ୍ରରେ ଗୁରୁତ୍ବ ଦେଇ ଆସୁଛି । ଫଳରେ ଏସବୁ ଦିଗରେ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଅଭାବରୁ ଓଡ଼ିଶାରେ ରହି ଆନ୍ଧ୍ରକୁ ସମର୍ଥନ କରି ଚାଲିଛନ୍ତି ସୀମାନ୍ତବାସୀ ।
ଓଡ଼ିଶା ସୀମାରେ ଆନ୍ଧ୍ରର ଉନ୍ନୟନମୂଳକ କାମ ସହ ମନୋଲୋଭା ସରକାରୀ ଯୋଜନା ଯୋଗୁଁ ଧୀରେଧିରେ ଗୋଟିଏ ପରେ ଗୋଟିଏ ସୀମାନ୍ତ ଗ୍ରାମ ଏବେ ଓଡିଶା ହାତରୁ ଖସିବାକୁ ବସିଲାଣି । ବେଳ ଥାଉଥାଉ ବନ୍ଧ ବନ୍ଧା ନ ଗଲେ ଆନ୍ଧ୍ରର ଯୋଜନାରେ ଲୋଭାସକ୍ତ ସୀମାନ୍ତ ଓଡିଆ ଯେ ଭବିଷ୍ୟତରେ ଓଡିଶା ହାତ ନ ଛାଡିବେ ଏ କଥା କହିହେବ ନାହିଁ ।
ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ