ରାୟଗଡ଼ା: ଅମରନାଥ ଗୁମ୍ଫା ନିକଟରେ ବାଦଲଫଟା ବର୍ଷା ଯୋଗୁଁ ଶତାଧିକ ଶ୍ରଦ୍ଧାଳୁ ଫସିରହିଛନ୍ତି । ସେଥିମଧ୍ୟରୁ ରାୟଗଡ଼ାର 5 ଜଣ ଓଡ଼ିଆ ରହିଛନ୍ତି । ଦର୍ଶନ ସାରି ଅସ୍ଥାୟୀ କ୍ୟାମ୍ପରେ ଆସି ଆଶ୍ରୟ ନେଉଥିବାବେଳେ ହଠାତ ବର୍ଷା ସାଙ୍ଗକୁ ଭୂସ୍ଖଳନ ହେବା ଯୋଗୁଁ ଟେଣ୍ଟ ସବୁ ଭାସିଯାଇଥିଲା । ସୌଭାଗ୍ୟବଶତଃ ନିଜ ଜୀବନ ବଞ୍ଚାଇ ସୁରକ୍ଷିତ ସ୍ଥାନରେ ପହଞ୍ଚିଥିବା କହିଛନ୍ତି ଫସିରହିଥିବା ଓଡ଼ିଆ । 5 ଓଡ଼ିଆ ହେଲେ ନିହାର ରଞ୍ଜନ ପାତ୍ର, ବସନ୍ତ କୁମାର ସେନାପତି, ସୌମ୍ୟରଞ୍ଜନ ପାତ୍ର, କେ.ରବି କୁମାର, ଟୁକୁନା ପ୍ରଧାନ ହୋଇଥିବା ଜଣାପଡ଼ିଛି । ଏକ ଭିଡ଼ିଆ ଜାରି କରି ପ୍ରଶାସନ ପକ୍ଷରୁ ସହାୟତା ଲୋଡ଼ିଛନ୍ତି ।
ତୀର୍ଥଯାତ୍ରୀ ରହୁଥିବା ଟେଣ୍ଟ ବନ୍ୟା ଜଳରେ ଭାସିଯାଇଥିବା ବେଳେ ସେମାନେ ଅଳ୍ପକେ ବର୍ତ୍ତିଥିବା କହିଛନ୍ତି ବସନ୍ତ । ଭୂସ୍ଖଳନ ସ୍ଥାନ ଠାରୁ ବାଲତାଲ ଗ୍ରାମ ଦୀର୍ଘ 18 କିଲୋମିଟର ସେମାନଙ୍କୁ ଦୁର୍ଗମ ପଥ ଦେଇ ପାଦରେ ଚାଲି ଚାଲି ଯିବାକୁ ସେଠାକାର ପ୍ରଶାସନ ନିର୍ଦ୍ଦେଶ ଦେଇଛନ୍ତି । ତେବେ ସେଠାରୁ ସେମାନଙ୍କୁ ଜମ୍ମୁ ପର୍ଯ୍ୟନ୍ତ ଯିବାର ବ୍ୟବସ୍ଥା କରିବା ପାଇଁ ରାୟଗଡା ଜିଲ୍ଲାପାଳ ସ୍ଵଧା ଦେବ ସିଂଙ୍କୁ ଟେଲିଫୋନ ମାଧ୍ୟମରେ ଅନୁରୋଧ କରିଥିଲେ । ଏହାପରେ ଉକ୍ତ ଅଞ୍ଚଳର ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରି ସେମାନଙ୍କୁ ଜମ୍ମୁ ପହଞ୍ଚାଇବା ବ୍ୟବସ୍ଥା କରିବା ପାଇଁ ପ୍ରୟାସ ଜାରି ରହିଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଜମ୍ମୁରୁ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ କିପରି ରାୟଗଡ଼ା ଅଣାଯିବ ସେନେଇ ମଧ୍ୟ ତୀର୍ଥ ଯାତ୍ରୀ ଟିମ ସହ ଜିଲ୍ଲାପାଳ ଆଲୋଚନା କରିଛନ୍ତି ।