ରାୟଗଡ଼ା: ଫନି ପ୍ରଳୟ ପରେ ଜଗନ୍ନାଥ ଧାମ ପୁରୀ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିବା ବେଳେ ସହଯୋଗର ହାତ ବଢ଼ାଇଛି ରାୟଗଡ଼ା ଜିଲ୍ଲା ପ୍ରଶାସନ । ପୁରୀ ସହରକୁ ସ୍ୱାଭାବିକ କରିବା ପାଇଁ ସରକାରଙ୍କୁ ତରଫରୁ ରିଲିଫ କାର୍ଯ୍ୟକୁ ତ୍ୱରାନ୍ବିତ କରାଯାଇଛି । ବିଦ୍ୟୁତ ସରବରାହ, ପାନୀୟ ଜଳ ଏବଂ ଉଜୁଡା ଘରକୁ ସଜାଡି ଥଇଥାନ କରିବା ପାଇଁ ସରକାରଙ୍କ ତରଫରୁ ପ୍ରାଥମିକତା ଦିଆଯାଇଛି । ଏଥି ନିମନ୍ତେ ପଲିଥିନର ଆବଶ୍ୟକତା ଦେଖାଦେଇଛି । ସ୍ୱତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ କ୍ରମେ ଆଜି ରାୟଗଡା ଜିଲ୍ଲାରୁ ୫୫୦ଟି ରୋଲ ପଲିଥିନ ପୁରୀ ପଠାଯାଇଥିବା ନେଇ ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବର ପ୍ରକାଶ କରିଛନ୍ତି ।
ରାୟଗଡା ଜିଲ୍ଲାର ୧୧ଟି ବ୍ଲକ ଏବଂ ୧୦ଟି ତହସିଲ ଅଫିସରୁ ଏହି ପଲିଥିନଗୁଡିକୁ ସଂଗ୍ରହ କରାଯାଇ ରାୟଗଡା ଅଣାଯାଇଥିଲା । ପରେ ଏସବୁ ପଲିଥିନକୁ ଏକତ୍ରିତ କରି ଏକ ଟ୍ରକ ଯୋଗେ ପୁରୀ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଥିଲା । ଯଦି ଅନ୍ୟ କିଛି ସାମଗ୍ରୀର ଆବଶ୍ୟକ ହୁଏ ତାହେଲେ ମଧ୍ୟ ପ୍ରଶାସନ ତରଫରୁ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳକୁ ପଠାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶବର ପ୍ରକାଶ କରିଛନ୍ତି ।