ରାୟଗଡ଼ା:ଖଣି ଖନନ ଓ ଡଙ୍ଗରିଆଙ୍କ ପ୍ରତି ସରକାରଙ୍କ ଦମନଲୀଳାକୁ ପ୍ରତିବାଦ । ରାୟଗଡା ଜିଲ୍ଲା ନିୟମଗିରି ସୁରକ୍ଷା ସମିତି ପକ୍ଷରୁ ଏହାକୁ କଡା ବିରୋଧ କରାଯାଇଛି । ଏଥିସହ ଆଗାମୀ ଦିନରେ ସରକାର ଯଦି ସେମାନଙ୍କ ଦାବି ପୂରଣ ନ କରନ୍ତି ତେବେ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରାଯିବା ନେଇ ଚେତାବନୀ ଦେଇଛି ନିୟମଗିରି ସୁରକ୍ଷା ସମିତି ।ନିୟମଗିରି ସୁରକ୍ଷା ସମିତି କହିବାନୁଯାୟୀ, ରାଜ୍ୟ ସରକାର ବିଭିନ୍ନ କମ୍ପାନୀମାନଙ୍କୁ ରାୟଗଡା ଅଞ୍ଚଳର ଖଣିଗୁଡିକୁ ଲିଜରେ ଦେଉଛନ୍ତି । ଏହି ଖଣି ଖନନ ଦ୍ବାରା ସେହି ଅଞ୍ଚଳ ବାସିନ୍ଦାଙ୍କ ଜୀବନ ଜୀବିକା, ସଂସ୍କୃତି ଓ ପରିବେଶ ଧ୍ୱଂସ ଆଡକୁ ଗତି କରୁଛି । ଏପରିକି କମ୍ପାନୀ ବିରୋଧରେ ବିରୋଧ କଲେ ପୋଲିସ ରାତିଅଧିଆ ଆନ୍ଦୋଳକାରୀମାନଙ୍କୁ ଉଠାଇ ନେଇ ଦମନ କରୁଛି । ଯାହାକୁ ପ୍ରତିବାଦ କରିଛି ନିୟମଗିରି ସୁରକ୍ଷା ସମିତି । ଯଦି ସମସ୍ୟାର ସମାଧାନ ନକରାଯାଏ ତେବେ ଆସନ୍ତା ନିର୍ବାଚନରେ ଭୋଟ ବର୍ଜନ କରିବା ନେଇ ସମିତି ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି । ଏନେଇ ଏକ ପ୍ରେସ ବିବୃତି ମଧ୍ୟ ଜାରି କରିଛି ନିୟମଗିରି ସୁରକ୍ଷା ସମିତି ।
ନିୟମଗିରି ସୁରକ୍ଷା ସମିତିର ଅଭିଯୋଗ ଅନୁଯାୟୀ, ବିଗତ ଦିନରେ ସିଜିମାଳି, କୁଟ୍ରୁମାଳି, ମାଜିଙ୍ଗମାଳି, ମାଳି ପର୍ବତ, କୋଡ଼ିଙ୍ଗମାଳି ଆଦି ଅଂଚଳର ଖଣିକୁ ସରକାର ଘରୋଇ କମ୍ପାନିକୁ ଲିଜ୍ରେ ଦେଇଛନ୍ତି । ତେବେ ଏହି ସବୁ ଅଂଚଳର ସୁରକ୍ଷା ପାଇଁ ସ୍ଥାନୀୟ ବାସିନ୍ଦା ବିରୋଧ କଲେ ପୋଲିସ ଲଗାଇ କମ୍ପାନୀ ସେମାନଙ୍କ ଉପରେ ଅତ୍ୟାଚାର କରୁଛି । ଅଗଷ୍ଟ ମାସରେ ଦୁଇ ଡଙ୍ଗରିଆ ଯୁବକଙ୍କୁ ଗିରଫ ପ୍ରତିବାଦରେ ନିୟମଗିରି ସୁରକ୍ଷା ସମିତି ପ୍ରତିବାଦ କରିବାରୁ ୮ଜଣଙ୍କ ନାମରେ ପୋଲିସ କଡ଼ା ମାମଲା ରୁଜୁ କରିଥିବା କହିଛି ନିୟମଗିରି ସୁରକ୍ଷା ସମିତି ।
ଏହାମଧ୍ୟ ପଢନ୍ତୁ..ଜୀବନ ଜୀବିକା ଓ ସମ୍ବିଧାନର ସୁରକ୍ଷା ନେଇ ନିୟମଗିରି ଡଙ୍ଗରିଆଙ୍କ 5 ଦିନିଆ ପଦଯାତ୍ରା