ରାୟପୁର: କାଶୀପୁର ବ୍ଲକରେ ଅଜଣା ଜ୍ବର ଆତଙ୍କ । ଥଣ୍ଡା ଜନିତ ଲକ୍ଷଣ ଦେଖାଦେଇଥିବା ଏହି ଜ୍ବରରେ ଆକ୍ରାନ୍ତ ହୋଇ ୮ ଜଣଙ୍କରୁ ଉର୍ଦ୍ଧ୍ୱ ଲୋକଙ୍କ ପ୍ରାଣ ଗଲାଣି । ଗୋଟିଏ ପରେ ଗୋଟିଏ ଲୋକଙ୍କ ମୃତ୍ୟୁ ଯୋଗୁଁ ଗାଁରେ ଭୟର ବତାବରଣ ଦେଖା ଦେଇଛି ।
ରାୟଗଡା କାଶୀପୁର ବ୍ଲକର ଅଡାଝର, ସୁଙ୍ଗେର ଓ ସିନ୍ଦୂରଘାଟି ତିନୋଟି ପଞ୍ଚାୟତର ଜୋଡାଆମ୍ବ, ପୁଡାପଦର, କଣ୍ଟାମାଳ ଓ ସିନ୍ଦିରିଘାଟି ଗାଁରେ ଅଜଣା ଜ୍ୱରରେ ଶତାଧିକ ଆକ୍ରାନ୍ତ ହୋଇଛନ୍ତି । ଖବର ପାଇ ମେଡିକାଲ ଟିମ ଏହି ସବୁ ଗାଁରେ ପହଞ୍ଚି ଗ୍ରାମବାସୀଙ୍କ ସ୍ୱାବ ନମୁନା ସଂଗ୍ରହ କରି ପରୀକ୍ଷଣ କରିଛି । ସୁଙ୍ଗେର ପଞ୍ଚାୟତର କଣ୍ଟାମାଳ, ଲଦାଖମଣ, ସିନ୍ଧୁଘାଟି, ପୋଡାଝର ଓ ଅଡାଝର ପଞ୍ଚାୟତର ଜୋଡା ଆମ୍ବ ଓ ସିନ୍ଦୁରଘାଟି ଗାଁରେ ୬୨ଜଣଙ୍କ ସ୍ୱାବ ନମୁନା ପରୀକ୍ଷଣ କରାଯାଇଥିବା ବେଳେ ଏଥିମଧ୍ୟରୁ ୧୦ଜଣ ବ୍ୟକ୍ତି କୋରୋନାରେ ସଂକ୍ରମିତ ଥିବା ଜଣାପଡିଛି ।
ତେବେ ଗତ ମାସରୁ ସିନ୍ଦୁରଘାଟି ଏବଂ କଣ୍ଟାମାଳ ଓ ଲଦାଖମଣ ଗାଁରେ ୮ଜଣ ବ୍ୟକ୍ତି ମୃତ୍ୟୁ ହୋଇଥିବାବେଳେ ଏ ନେଇ ସ୍ୱାସ୍ଥ୍ୟ ବିଭାଗ ନିକଟରେ କୌଣସି ସୂଚନା ନହିଁ । ତେବେ ଏସବୁ ଗାଁ ଦୁର୍ଗମ ଇଲାକାରେ ଅବସ୍ଥିତ ଥିବାରୁ ଅଧିକାଂଶ ଲୋକ ଅଶିକ୍ଷିତ ଓ ମହାମାରୀ କୋରୋନା ସଂକ୍ରାନ୍ତରେ ଅଜଣା ରହିଛନ୍ତି । ତେବେ ଗାଁକୁ ଭଲ ଖଣ୍ଡେ ରାସ୍ତାଘାଟ ନଥିବାରୁ ଆମ୍ବୁଲାନ୍ସ ସେବା ଗ୍ରାମବାସୀଙ୍କ ପାଇଁ ସାତ ସପନ । ଅନ୍ୟପକ୍ଷେ ଜିଲ୍ଲାର ପ୍ରତ୍ୟେକ ଗାଁରେ ଆଶା ଓ ଅଙ୍ଗନୱାଡି କର୍ମୀ ଘରେ ଘରେ ବୁଲି ରୋଗ ନିରୂପଣ ସର୍ଭେ କରୁଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛନ୍ତି ।