ଓଡିଶା

odisha

ରାୟଗଡାରେ ଜୈବ ଆର୍ବଜନା ପରିଚାଳନା ଦିଗହରା

By

Published : Nov 13, 2020, 7:46 AM IST

Updated : Nov 13, 2020, 8:52 AM IST

ରାୟଗଡାରେ ଜୈବ ଆର୍ବଜନା ପରିଚାଳନା ଦିଗହରା ହୋଇଛି । କାମରେ ନଲାଗି ଖୋଲା ଆକାଶ ତଳେ ପଡିଛି କୋଟି କୋଟି ଟଙ୍କାର ମେସିନ୍ । ଅଧିକ ପଢନ୍ତୁ...

ରାୟଗଡାରେ ଜୈବ ଆର୍ବଜନା ପରିଚାଳନା ଦିଗଦରା
ରାୟଗଡାରେ ଜୈବ ଆର୍ବଜନା ପରିଚାଳନା ଦିଗଦରା

ରାୟଗଡା: ସ୍ବାସ୍ଥ୍ୟକେନ୍ଦ୍ରକୁ ସଂକ୍ରମଣମୁକ୍ତ କରିବାକୁ ଗୁରୁତ୍ବ ଦେଉଛନ୍ତି ସରକାର। ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ବିଭିନ୍ନ ମେସିନ୍ ସ୍ବାସ୍ଥ୍ୟ ବିଭାଗକୁ ପ୍ରଦାନ କରିଛନ୍ତି। ହେଲେ କୋଟି କୋଟି ଟଙ୍କା ବ୍ୟୟରେ କିଣା ଯାଇଥିବା ମେସିନ୍ ସ୍ବାସ୍ଥ୍ୟକେନ୍ଦ୍ରରେ କାମରେ ଲାଗିବା ବଦଳରେ ଖୋଲା ଆକାଶ ତଳେ ପଡି ରହିଛି। ଫଳରେ ରାୟଗଡାରେ ଜୈବ ଆବର୍ଜନା ପରିଚାଳନା ଦିଗହରା ହୋଇପଡିଛି। ରାୟଗଡା ଜିଲ୍ଲାର 11ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, 34ଟି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ଗୋଟିଏ ସହରାଞ୍ଚଳ ସ୍ବାସ୍ଥ୍ୟକେନ୍ଦ୍ର, ଗୁଣପୁର ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରୁ ଦୈନିକ ବାହାରୁଥିବା ଗଜ, ବ୍ୟାଣ୍ଡେଜ, ସିରିଞ୍ଜ ଭଳି ଆବର୍ଜନାକୁ ବାହାରେ ନ ପକାଇ ମେସିନ୍ ମାଧ୍ୟମରେ ନଷ୍ଟ କରିବାକୁ ଯୋଜନା କରିଛନ୍ତି ସରକାର।

ରାୟଗଡାରେ ଜୈବ ଆର୍ବଜନା ପରିଚାଳନା ଦିଗଦରା

ଏଥିଲାଗି ଓଡିଶା ରାଜ୍ୟ ଔଷଧ ନିଗମ ଲିମିଟେଡ୍ ପକ୍ଷରୁ 25ଟି ଅଟୋ କ୍ଲେଭ ଓ 25ଟି ସେଡର୍ ମେସିନ୍ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗକୁ ପ୍ରଦାନ କରାଯାଇଛି। କୋରୋନା ସଂକ୍ରମଣ ବ୍ୟାପିବା ପୂର୍ବରୁ 50ଟି ମେସିନ୍ ରାୟଗଡା ସ୍ବାସ୍ଥ୍ୟ ବିଭାଗର ହସ୍ତାନ୍ତର ହୋଇଛି। ହେଲେ ବିଗତ 8ମାସ ଧରି ଏହି ମେସିନ୍ ଗୁଡିକୁ ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାନଯାଇ ସ୍ବାସ୍ଥ୍ୟ ବିଭାଗର ବାରିଝୋଲାସ୍ଥିତ କାର୍ଯ୍ୟାଳୟରେ ଖୋଲା ଆକାଶ ତଳେ ପକାଇ ରଖାଯାଇଛି। ରକ୍ଷଣାବେକ୍ଷଣ ଅଭାବରୁ ଖୋଲା ଆକାଶ ତଳେ ପଡିଥିବା ମେସିନ୍ ଗୁଡିକ ନଷ୍ଟ ହେବାକୁ ବସିଲାଣି। କିନ୍ତୁ ସ୍ବାସ୍ଥ୍ୟ ବିଭାଗର ଏଥିପ୍ରତି ଯତ୍ନଶୀଳ ନଥିବା ଭଳି ମନେ ହେଉଛି। ଖରା, ବର୍ଷା ପ୍ରଭାବରେ କୋଟି କୋଟି ଟଙ୍କା ବ୍ୟୟରେ କିଣାଯାଇଥିବା ମେସିନ୍ ଗୁଡିକର ଅବସ୍ଥା ଏମିତି ହେଲାଣି ଯେ ବ୍ୟବହାର ବେଳକୁ ପୁଣି ଥରେ ମରାମତି କରିବାକୁ ପଡିବ।

ରାୟଗଡାରେ ଜୈବ ଆର୍ବଜନା ପରିଚାଳନା ଦିଗଦରା

ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ କହିବା ଅନୁଯାୟୀ, ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ମେସିନ୍ ଗୁଡିକ ଇନଷ୍ଟାଲେସନ୍ କରିବା କଥା। ବହୁତ ଓଜନର ମେସିନ୍ ହୋଇଥିବାରୁ ଏହାକୁ ସ୍ଥାନାନ୍ତର ପାଇଁ ଜେସିବି ମେସିନ୍ ଓ ଟ୍ରକର ଆବଶ୍ୟକତା ରହିଛି। କିନ୍ତୁ ମେସିନ୍ ପ୍ରଦାନ ଓ ଇନଷ୍ଟାଲେସନ୍ ପାଇଁ ଠିକା ନେଇଥିବା କମ୍ପାନି ମେସିନ୍ ପ୍ରଦାନ କରିବା ପରଠାରୁ ଆଉ ଆସିନଥିବାରୁ ମେସିନ୍ ଗୁଡିକ ଖୋଲା ଆକାଶ ତଳେ ପଡିଛି। ସ୍ବାସ୍ଥ୍ୟକେନ୍ଦ୍ରରେ ମେସିନ୍ ଗୁଡିକ କାର୍ଯ୍ୟକ୍ଷମ ହେଲେ ଅପରେସନ୍, ଡ୍ରେସିଂ ଓ ଚିକିତ୍ସା ପରେ ବାହାରୁଥିବା ଗଜ, ବ୍ୟାଣ୍ଡେଜ, ସିରିଞ୍ଜ ଗୁଡ଼ିକୁ ବାହାରେ ନ ପକାଇ ମେସିନରେ ପକାଇ ନଷ୍ଟ କରାଯାଇପାରନ୍ତା।

ରାୟଗଡାରେ ଜୈବ ଆର୍ବଜନା ପରିଚାଳନା ଦିଗଦରା

ସେହିପରି ବ୍ଲକ୍ ଓ ଗ୍ରାମାଞ୍ଚଳରେ ଥିବା ସ୍ବାସ୍ଥ୍ୟକେନ୍ଦ୍ର ଗୁଡିକରୁ ବାହାରୁଥିବା ଆବର୍ଜନାକୁ ବର୍ତ୍ତମାନ ବାହାରେ ଫିଙ୍ଗାଯାଉଛି। ଫଳରେ ପରିବେଶ ପ୍ରଦୂଷିତ ହେବା ସହିତ ଏହା ପ୍ରଭାବରେ ଲୋକ ସଂକ୍ରମଣର ଶିକାର ହେଉଛନ୍ତି। ସେପଟେ ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଆର୍ତ୍ତବନ୍ଧୁ ନାୟକଙ୍କୁ ପଚାରିବାରୁ ସେ କହିଛନ୍ତି,‘କୋରୋନା ସଂକ୍ରମଣ ଯୋଗୁ ମେସିନ୍ ଗୁଡିକ କାର୍ଯ୍ୟକ୍ଷମ ହୋଇପାରିନଥିଲା। ବର୍ତ୍ତମାନ ପରିସ୍ଥିତିରେ ସୁଧାର ଆସିଲାଣି। ତୁରନ୍ତ ଏ ଦିଗରେ ଦୃଷ୍ଟି ଦିଆଯାଇ ପଦକ୍ଷେପ ନିଆଯିବ ।’

ସ୍ବାସ୍ଥ୍ୟକେନ୍ଦ୍ରର ପରିଷ୍କାର, ପରିଚ୍ଛନ୍ନତା ଓ ଉତ୍ତମ ସ୍ବାସ୍ଥ୍ୟସେବା ପାଇଁ 2019ରେ ରାୟଗଡା ଜିଲ୍ଲାକୁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ‘କାୟାକଳ୍ପ’ ଯୋଜନାରେ ପୁରସ୍କୃତ କରାଯାଇଥିଲା। ଇତି ମଧ୍ୟରେ ପୁରସ୍କାର ଗ୍ରହଣକୁ ବର୍ଷେ ବିତିନଥିବାବେଳେ ଜୈବ ଆବର୍ଜନା ପରିଚାଳନା ପାଇଁ ଆସିଥିବା ମେସିନ୍ ଗୁଡିକ ଖୋଲା ଆକାଶ ତଳେ ପଡି ରହିବା ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋବୃତ୍ତିକୁ ପ୍ରମାଣିତ କରିଛି।

ରାୟଗଡାରୁ ରଞ୍ଜନ ରଥ, ଇଟିଭି ଭାରତ

Last Updated : Nov 13, 2020, 8:52 AM IST

ABOUT THE AUTHOR

...view details