ରାୟଗଡ଼ା:ମାଓ କ୍ୟାମ୍ପରେ ବି ଉଠିବାରେ ଲାଗିଛି ଶିକ୍ଷୟିତ୍ରୀ ମମିତାଙ୍କ ନ୍ୟାୟର ସ୍ବର । ମୁନିଗୁଡା ବ୍ଲକର କୁମୁଡ଼ାବାଲି ପୋଲ ନିକଟରେ କିଛି ମାଓ ପୋଷ୍ଟର ଦେଖିବାକୁ ମିଳିଛି । ନାଗାବଳୀ ଘୁମୁସର ମାଓବାଦୀ ପକ୍ଷରୁ ଏହି ମାଓ ପୋଷ୍ଟର ସବୁ ଲଗାଯାଇଥିବା ଜଣାପଡ଼ିଛି । ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିବା ବେଳେ ବର୍ତ୍ତମାନ ଏନେଇ ମାଓବାଦୀ ସଂଗଠନ ପକ୍ଷରୁ ମଧ୍ୟ ଦାବି ଉଠିବାରେ ଲାଗିଛି। ପୋଷ୍ଟର ମାଧ୍ୟମରେ ଏହି ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛି ମାଓ ସଂଗଠନ ।
ନବୀନ ସରକାର ନାରୀମାନଙ୍କୁ ସୁରକ୍ଷା ଦେବାରେ ଅସମର୍ଥ ତେଣୁ ସେ ଇସ୍ତଫା ଦିଅନ୍ତୁ । ରାଜ୍ୟରେ ନାରୀମାନଙ୍କ ଉପରେ ଅତ୍ୟାଚାର ବଢ଼ି ଚାଲିଛି । ସେମାନଙ୍କୁ ନିର୍ମମ ଭାବେ ହତ୍ୟା କରାଯାଉଛି । କିନ୍ତୁ ଏନେଇ ଦୋଷୀମାନଙ୍କୁ ଦଣ୍ଡ ଦେବା ପାଇଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଫଳରେ ନାରୀମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି ଏବଂ ରାଜ୍ୟ ସରକାର ଏଥିପାଇଁ ସମ୍ପୂର୍ଣ୍ଣ ବୋଲି ମାଓବାଦୀ ସଂଗଠନ ପୋଷ୍ଟର ମାଧ୍ୟମରେ କହିଛି ।