ଓଡିଶା

odisha

ETV Bharat / state

ଭୋଟ ପୂର୍ବରୁ କେଁ କାଢିଲେ ମାଓବାଦୀ, ଭୋଟ ବର୍ଜନ ସହ ଦେଲେ ବନ୍ଦ ଡାକରା

ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ତୟାର ରାୟଗଡା । ଭୋଟରେ ଯେପରି କୌଣସି ବ୍ୟାଘାତ ନ ହେବ ସେଥିପାଇଁ କଡା ଆଭିମୁଖ୍ୟ ଗ୍ରହଣ କରିଛି ପୋଲିସ ପ୍ରଶାସନ । ତେବେ ସବୁ ସରିବା ପରେ ଏବେ ମୁଣ୍ଡ ଟେକିଛି ଏକ ବଡ ସମସ୍ୟା । ଭୋଟ ବର୍ଜନ କରିବାକୁ ଡାକରା ଦେଇଛନ୍ତି ମାଓବାଦୀ ।

By

Published : Apr 11, 2019, 1:17 AM IST

Updated : Apr 11, 2019, 3:19 AM IST

ପ୍ରତିକାତ୍ମକ ଫଟୋ

ରାୟଗଡା: ଗୁରୁବାର ଆରମ୍ଭ ହେବ ପ୍ରଥମ ଚରଣ ମତଦାନ । ଏ ନେଇ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ମାଓ ପ୍ରଭାବିତ ଅଞ୍ଚଳରେ ପହଞ୍ଚିଛନ୍ତି ପୋଲିଂ ପାର୍ଟି । ସରିଛି ସମସ୍ତ ପ୍ରସ୍ତୁତି । ହେଲେ ଏହା ପୂର୍ବରୁ କେଁ ବାହାର କରିଛନ୍ତି ମାଓବାଦୀ । ବିଭିନ୍ନ କାରଣ ଦର୍ଶାଇ ଭୋଟ ବର୍ଜନ ସହ ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଦେଇଛନ୍ତି ବନ୍ଦ ଡାକରା । ଏଣୁ କଡା ସୁରକ୍ଷା ବଳୟ ମଧ୍ୟରେ ରହିଛି ମାଓ ଅଧ୍ୟୁଷିତ ଅଞ୍ଚଳ ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

କଲ୍ୟାଣସିଂହପୁର ବ୍ଲକ୍ ୪୩ ହଜାର ଭୋଟରଙ୍କ ପାଇଁ ୫୫ ଟି ମତଦାନ କେନ୍ଦ୍ର ରହିଛି । ସେଥି ମଧ୍ୟରୁ ୯ ଟି ଅତି ସମ୍ବେଦଶୀଳ ରହିଛି । ଏଠାରେ ଯେପରି କୌଣସି ବ୍ୟାଘାତ ନ ଘଟିବ ସେଥିପ୍ରତି ପୋଲିସ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି । ଗାଁରେ ପୋଲିସ ପଇଁତରା ମରୁଛି । ଅତି ସମ୍ବେଦନଶୀଳ ମାଓବାଦୀ ଅଞ୍ଚଳ ନିୟମଗିରିରେ ପାରସାଲି ଓ ବୁଡୁନି ଆଦି 2ଟି ମତଦାନ କେନ୍ଦ୍ର ରହିଛି । ଏଠାରେ ଯେପରି ମାଓବାଦୀ କିଛି ଅଘଟଣ ନ ଘଟାନ୍ତି , ତାହାକୁ ନଜରରେ ରଖି ନିୟମଗିରି ପାହାଡ଼ ଉପରେ କୁମ୍ବିଙ୍ଗ ଆପରସନକୁ ଜୋରଦାର କରାଯାଇଛି ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ରାୟଗଡା

ସିପିଆଇ ମାଓବାଦୀ ସଂଗଠନ ବାସଧରା ଘୁମୁସର ନାଗାବଳୀ ଡିଭିଜନାଳ କମିଟି ପକ୍ଷରୁ ଏପ୍ରିଲ୍ ୧୧ ଅର୍ଥାତ୍ ପ୍ରଥମ ଚରଣ ମତଦାନରେ 2ଟି ଜିଲ୍ଲାର ୪ ଟି ବ୍ଲକ୍ କୁ ଭୋଟ ବର୍ଜନ । ଏଥିସହ ରାୟଗଡ଼ା, କନ୍ଧମାଳ, କଳାହାଣ୍ଡି, ଗଞ୍ଜାମ ଓ ଗଜପତି ଆଦି ୫ ଟି ଜିଲ୍ଲାରେ ବନ୍ଦ ପାଳନ କରିବାକୁ ଆହ୍ବାନ ଦେଇଛି । ପ୍ରେସ ରିଲିଜ୍ ମାଧ୍ୟମରେ ଏହି ଡାକରା ଦେଇଛି ସିପିଆଇ । ତେବେ 4ଟି ବ୍ଲକ ଯଥା, କଳାହାଣ୍ଡିର ଲାଞ୍ଜିଗଡ଼ ବ୍ଲକ୍ ଓ ରାୟଗଡ଼ା ଜିଲ୍ଲାର କଲ୍ୟାଣସିଂହପୁର, ମୁନିଗୁଡା ଓ ବିଷମକଟକରେ ଭୋଟ ବର୍ଜନ କରିବାକୁ ଉଲ୍ଲେଖ ରହିଛି । ମଙ୍ଗଳବାର ମାଓ ସଂଗଠନ ପକ୍ଷରୁ ଡାକ ଯୋଗେ ଏହି ପ୍ରେସ ବିବୃତି ପଠାଇ ବନ୍ଦ ପାଳନ ନିମନ୍ତେ ସୂଚନା ଦିଆଯାଇଛି ।

ରାୟଗଡାରୁ ରଞ୍ଜନ ରଥ , ଇଟିଭି ଭାରତ

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ରାୟଗଡା
Last Updated : Apr 11, 2019, 3:19 AM IST

ABOUT THE AUTHOR

...view details