ରାୟଗଡ଼ାରେ ଲାଗିଲା ଲାଲବାହିନୀର ପୋଷ୍ଟର, ଶହୀଦ ସପ୍ତାହ ପାଳିବାକୁ ଆହ୍ବାନ ରାୟଗଡ଼ା: ବରଗଡ଼ ପରେ ରାୟଗଡ଼ା ଜିଲ୍ଲାରେ ପୁଣି ନିଜର ସ୍ଥିତି ଜାହିର କଲା ଲାଲବାହିନୀ । ସିପିଆଇ ମାଓବାଦୀ ବାଘୁନା ଡିଭିଜନ ପକ୍ଷରୁ ମାଓ ପୋଷ୍ଟର ଲଗାଯାଇଛି । ଏହି ପୋଷ୍ଟରରେ ପ୍ରତି ବର୍ଷ ପରି ଜୁଲାଇ ୨୮ ତାରିଖଠାରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ଶହୀଦ ସପ୍ତାହ ପାଳନ କରିବା ପାଇଁ ଲୋକଙ୍କୁ ଆହ୍ବାନ ଦେଇଛି ଲାଲ ବାହିନୀ । ମାଓବାଦୀମାନେ ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ନିୟମଗିରି ପାହାଡ ଅନ୍ତର୍ଗତ ପାରସାଲିରେ ତିନିଟି ପୋଷ୍ଟର ଓ ଗୋଟିଏ ବ୍ୟାନର ଲଗାଇଥିବା ଦେଖିବାକୁ ମିଳିଛି ।
ଲାଲ ବାହିନୀ ପକ୍ଷରୁ ଜାରି ହୋଇଥିବା ଏହି ପୋଷ୍ଟରରେ ଲେଖାଯାଇଛି, "ଜୁଲାଇ ୨୮ରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ଶହୀଦ ସପ୍ତାହ ପାଳନ କରନ୍ତୁ । ସିପିଆଇ (ମାଓବାଦୀ)ର ପ୍ରତିଷ୍ଠାତା କମ୍ରେଡ ଚାରୁ କ. କାହ୍ନାଇ ଅମର ରହେ ।" କଲ୍ୟାଣସିଂହପୁର ବ୍ଳକ ନିୟମଗିରି ପାହାଡ ଅନ୍ତର୍ଗତ ପାରସାଲିରେ ୩ଟି ପୋଷ୍ଟର ଓ ଗୋଟିଏ ବ୍ୟାନର ଲଗାଯାଇଥିବା ଦେଖିବାକୁ ମିଳିଛି । ସେଥିରେ ସିପିଆଇ ମାଓବାଦୀ ବାଶଧରା ଘୁମାସର ନାଗାବଳୀ ଡ଼ିଭିଜନ(ବାଘୁନା) ବୋଲି ଉଲ୍ଲେଖ ରହିଛି । ପ୍ରତି ବର୍ଷ ପରି ଜୁଲାଇ ୨୮ ତାରିଖଠାରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ଶହୀଦ ସପ୍ତାହ ପାଳନ କରିବା ପାଇଁ ମାଓବାଦୀମାନେ ପୋଷ୍ଟର ଓ ବ୍ୟାନର ଲଗାଇ ଲୋକମାନଙ୍କୁ ଆହ୍ବାନ ଦେଇଛନ୍ତି ।
ଏହା ବି ପଢନ୍ତୁ- ପାଇକମାଳରେ ସ୍ଥିତି ଜାରି କଲା ଲାଲବାହିନୀ, ଲାଗିଲା ମାଓ ପୋଷ୍ଟର
ନିୟମଗିରି ପାହାଡ଼ ସୁରକ୍ଷା ପାଇଁ ଲଢ଼ୁଥିବା ସିପିଆଇ ମାଓବାଦୀମାନଙ୍କ ଶହୀଦ ହୋଇଥିବାରୁ ଜନ ସଚେତନତା ସୃଷ୍ଟି କରିବା ଓ ମାଓ ସଂଗଠନରେ ଯୋଗ ଦେବା ପାଇଁ ନିବେଦନ କରିଥିବା ଉଲ୍ଲେଖ ରହିଛି । ଏହି ଅଞ୍ଚଳରେ କାର୍ଯ୍ୟ କରି ଶହୀଦ ହୋଇଥିବା ପଦ୍ମା(ମିଞ୍ଜା)ର ଅମର ଆତ୍ମା ପାଇଁ ଓ ଲଳିତ, ରିତୁ, ସଦେଶ, କମଳା, ଅଞ୍ଜଳି, ନନ୍ଦୁ, ଗୀତାଙ୍କ ଅଧୁରା ସ୍ଵପ୍ନକୁ ସାକାର କରିବା ପାଇଁ ଜୁଲାଇ ୨୮ଠାରୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଶହୀଦ ଦିବସ ପାଳନ କରିବା ପାଇଁ ବାଘୁନା ଡିଭିଜନ ପକ୍ଷରୁ କୁହାଯାଇଛି । ଏହି ୩ଟି ପୋଷ୍ଟର ଆମ୍ବ ଗଛ ଓ ବ୍ୟାନରଟି ଡଙ୍ଗରିଆ କନ୍ଧ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଫାଟକରେ ଲାଗିଥିବା ଦେଖିବାକୁ ମିଳିଛି । ଏନେଇ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ ।
ସୂଚନା ଥାଉ କି ଗତକାଲି ବରଗଡ଼ ପାଇକମାଳରେ ମଧ୍ୟ ମାଓବାଦୀମାନେ ଶହୀଦ ସପ୍ତାହ ପାଳନ କରିବା ଲାଗି ପୋଷ୍ଟର ଲଗାଇଥିଲେ । ପୋଷ୍ଟରରେ ଉଭୟ ହିନ୍ଦୀ ଓ ଓଡ଼ିଆ ଭାଷାରେ ଲେଖାଯାଇଥିଲା । ପୂର୍ବ ଥର ପରି ଏଥର ମଧ୍ୟ ରାସ୍ତା କଡ଼ରେ ଲାଲ ରଙ୍ଗର କପଡ଼ାରେ ହାତ ଲେଖାଥିବା ଏହି ପୋଷ୍ଟର ଦେଖିବାକୁ ମିଳିଥିଲା । ପୋଷ୍ଟରଟି ପ୍ରକୃତରେ ମାଓବାଦୀଙ୍କ ଲେଖା ନାଁ କୌଣସି ଦୁର୍ବୃତ୍ତ ଏପରି କାଣ୍ଡ ଭିଆଇଛି ପୋଲିସ ତାହାର ତଦନ୍ତ ଚଳାଇଥିବା ବେଳେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ଖେଳିଯାଇଛି ।
ଇଟିଭି ଭାରତ, ରାୟଗଡ଼ା