ରାୟଗଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଅଞ୍ଚଳରେ ଲାଲବାହିନୀ ବାରମ୍ବାର ନିଜର ଉପସ୍ଥିତି ଜାହିର କରୁଛି । ନିକଟରେ ମୁନିଗୁଡ଼ା ଥାନା ଅନ୍ତର୍ଗତ ଦେଓକୁପୁଲି ଛକ ନିକଟରେ ଥିବା କ୍ରସରରେ ୨ଟି ପ୍ରୋକ୍ଲିନ, ୫ଟି ହାଇୱା ସମେତ ୯ଟି ଗାଡ଼ି ଜାଳି ଦେଇଥିଲେ ମାଓବାଦୀ । ଏହାପରେ ସେହି ମୁନିଗୁଡ଼ା ଥାନା ଅଞ୍ଚଳରେ ପୁଣି ମାଓ ପୋଷ୍ଟର ଦେଖିବାକୁ ମିଳିଛି । ମୁନିଗୁଡ଼ା ଥାନା ଅନ୍ତର୍ଗତ ଭୁରୁଶିଖମାର ଛକରେ ଦେଖିବାକୁ ମିଳିଛି ମାଓବାଦୀଙ୍କ ବ୍ୟାନର ଓ ପୋଷ୍ଟର । ଯାହାକୁ ନେଇ ଆତଙ୍କିତ ଅବସ୍ଥାରେ ରହିଛନ୍ତି ସ୍ଥାନୀୟ ଲୋକେ ।
ତେବେ ଏହି ମାଓ ପୋଷ୍ଟରରେ ଉଲ୍ଲେଖ ରହିଛି ଯେ, 'ଶେରକାପାଡିରୁ ନିୟମଗିରିକୁ ଯାଉଥିବା ରାସ୍ତା କାମ ବନ୍ଦ କର । ସରକାର ଆଦିବାସୀଙ୍କଠାରୁ ସବୁ ଜଙ୍ଗଲ ଜମି ପୁଞ୍ଜିପତିଙ୍କ ହାତକୁ ଟେକି ଦେଉଛନ୍ତି । ତେଣୁ ସରକାରଙ୍କୁ ବିରୋଧ କରନ୍ତୁ । ନିୟମଗିରି ଓ ଶାଶୁବହୁମାଳୀ ପର୍ବତରେ ଯେଉଁ ଦଲାଲ ମାନେ ବୁଲୁଛନ୍ତି, ସେମାନେ ସାବଧାନ ରୁହନ୍ତୁ । ଗତ ମେ' ୧୫ ତାରିଖରେ ଆମର ବନ୍ଦର ସଫଳତାକୁ ଯେଉଁମାନେ ବିରୋଧ କରିଛନ୍ତି ଓ ପୋଷ୍ଟରକୁ ଯେଉଁମାନେ ଲୁଚାଇଛନ୍ତି, ସେମାନଙ୍କୁ ପ୍ରଜା କୋର୍ଟରେ ଦଣ୍ଡ ଦିଆଯିବ ।' ଏହି ପୋଷ୍ଟରରେ କିଛି ସାମ୍ବାଦିକମାନେ ପୋଲିସ ଓ ପ୍ରଶାସନ ସପକ୍ଷରେ ରାଜ ଚଳାଇ ଗରିବ ଲୋକଙ୍କ ସମସ୍ୟା ସମାଧାନରେ ସହଯୋଗ କରୁନାହାନ୍ତି ବୋଲି ଲେଖା ଯାଇଥିବା ବେଳେ ପୋଷ୍ଟର ଓ ବ୍ୟାନରକୁ CPI ମାଓବାଦୀ- ବଂଶଧରା- ଘୁମୁସର- ନାଗାବଳୀ ଡିଭିଜିନାଲ କମିଟି ତରଫରୁ ଲଗାଯାଇଥିବା ଉଲ୍ଲେଖ ରହିଛି ।