ରାୟଗଡା: ଜିଲ୍ଲାରେ ପ୍ରତିବର୍ଷ ଅନୁଷ୍ଠିତ ହେବ ମଝିଘରିଆଣୀ ଲୋକକଳା ମହୋତ୍ସବ । ରାୟଗଡା ଗସ୍ତରେ ଆସିଥିବା ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। ଦିନକୁ ଦିନ ଲୋପପାଇବାକୁ ଯାଉଥିବା ଆଦିବାସୀ ଲୋକକଳା ଓ ସଂସ୍କୃତି ବଞ୍ଚାଇ ରଖିବା ପାଇଁ ଏହା ମୁଖ୍ୟ ଭୂମିକା ଗ୍ରହଣ କରିବ। ଯାହାଫଳରେ ଜିଲ୍ଲାର ଲୁକ୍କାୟିତ ପ୍ରତିଭା ଆଗକୁ ଆସିପାରିବେ ।
ରାୟଗଡା ଜିଲ୍ଲାପାଳ ସରୋଜ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଲୋକକଳା ସଂଘ ଓ ସଂସ୍କୃତି ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସମୀକ୍ଷା କରାଯାଇଥିଲା । ଓଡିଶା ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ, ରାଜ୍ୟ ପ୍ରକଳ୍ପ ସଂଯୋଜକ ବାସୁଦେବ ମାଳବିଶୋଇ ଓ ରାଜ୍ୟ ଲୋକକଳା ସଂଘ ଉପ ସଭାପତି ଅବନୀ କୁମାର ମିଶ୍ର ପ୍ରମୁଖ ସାମିଲ ହୋଇଥିଲେ। ବୈଠକରେ ରାୟଗଡାର ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣିଙ୍କ ନାମରେ ମଝିଘରିଆଣି ଲୋକକଳା ମହୋତ୍ସବ ସ୍ବତନ୍ତ୍ର ଭାବରେ ପ୍ରତିବର୍ଷ ହେବ ବୋଲି ନିର୍ଦ୍ଦେଶକ ଘୋଷଣା କରିଛନ୍ତି ।