ରାୟଗଡା:କଡା ସୁରକ୍ଷା ବଳୟରେ ଗତକାଲି (ବୁଧବାର) ରାୟଗଡା ଅଧିଷ୍ଠାତ୍ରୀ ଦେବୀ ମା ମଝିଘରିଆଣିଙ୍କ ଦାନହୁଣ୍ଡି ଖୋଲାଯାଇଛି । ସକାଳ ୮ଘଟିକାରୁ ମନ୍ଦିର ପରିସରରେ ଦାନ ହୁଣ୍ଡି ଖୋଲାଯାଥିଲା । ତେବେ ନିର୍ବାହୀ ମାଜିଷ୍ଟ୍ରେଟ ତଥା ତହସିଲଦାର ତାପସ ରାଉତ ଓ ମନ୍ଦିର ଟ୍ରଷ୍ଟି ରାଇସିଂ ବିଡିକାଙ୍କ ଉପସ୍ଥିତିରେ ଗଣତି କରାଯାଇଛି । ମନ୍ଦିର ଦାନ ହୁଣ୍ଡିରୁ 75 ଲକ୍ଷ ଟଙ୍କା ସାଙ୍ଗକୁ 54.3 ଗ୍ରାମ ସୁନା,2.6 କିଗ୍ରା ରୂପା ଓ 5 ଗୋଟି ୟୁଏସ ଡଲାର ମିଳିଥିବା ଜଣାପଡିଛି ।
ସୂଚନାନୁସାରେ, ଗତ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଗଣତି ଜାରି ରହିଥିବାବେଳେ ହୁଣ୍ଡିରୁ ମିଳିଥିବା ଦାନଟଙ୍କାର ହିସାବ ମିଳିବାରେ ଡେରି ହୋଇଥିଲା । ତେବେ ଗତ ସେପ୍ଟେମ୍ବର ମାସରେ ମାଙ୍କ ଦାନ ହୁଣ୍ଡି ଖୋଲାଯାଇଥିଲା । ସେହି ସମୟରେ 69 ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା 5 କିଗ୍ରା ରୂପା ଓ 54ଗ୍ରାମ ସୁନା ହସ୍ତଗତ ହୋଇଥିଲା । ଗତ କାଲି ଦାନଟଙ୍କା ଗଣତିରେ ସ୍ଥାନୀୟ ଭେଙ୍କେଟେଶ୍ୱର ମନ୍ଦିର କର୍ମକର୍ତ୍ତା, ଜେମ୍ସ ଟ୍ୟୁଟୋରିଆଲ ଛାତ୍ରଛାତ୍ରୀ ଓ ମନ୍ଦିର କର୍ମକର୍ତ୍ତାମାନେ ସହଯୋଗ କରିଛନ୍ତି ।