ରାୟଗଡା:ରାୟଗଡା ସହରରେ ମାତିଛନ୍ତି ଲୁଟେରା । ସ୍କୁଟି ଡିକି ଭାଙ୍ଗି ୬ ଲକ୍ଷ ୧୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ଏନେଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।
ସୂଚନା ମୁତାବକ, ରାୟଗଡା ଜିଏସଟି କାର୍ଯ୍ୟାଳୟର ଅବସରପ୍ରାପ୍ତ ହାବିଲଦାର ଏମ.ଆପ୍ପାରାଓ ମେ ମାସରେ ଅବସର ଗ୍ରହଣ କରିଥିଲେ । ଅବସର ପରେ ସରକାରଙ୍କ ଠାରୁ ଗ୍ରାଚୁଇଟି ବାବଦରେ ୬ଲକ୍ଷ ଟଙ୍କା ପାଇଥିଲେ । ତେବେ ଆପ୍ପା ରାଓଙ୍କ ଘର ନିର୍ମାଣ କାର୍ଯ୍ୟ ଚାଲିଥିବାରୁ ସେ ମିସ୍ତ୍ରୀକୁ ଟଙ୍କା ଦେବା ପାଇଁ ରାୟଗଡ଼ା ଷ୍ଟେଟ ବ୍ୟାଙ୍କ ମୁଖ୍ୟ ଶାଖାରୁ ୬ଲକ୍ଷ ୧୦ହଜାର ଟଙ୍କା ଉଠାଇ ସ୍କୁଟି ଡିକିରେ ରଖିଥିଲେ । ଟଙ୍କା ସ୍କୁଟିରେ ଡିକିରେ ରଖି ସେ ମଙ୍ଗଳା ମନ୍ଦିର ନିକଟସ୍ଥ ତାଙ୍କ ବନ୍ଧୁଙ୍କ ଘରକୁ ପେନସନ୍ ବିଷୟରେ ବୁଝିବାକୁ ଯାଇଥିଲେ ।
କିଛି ସମୟ ପରେ ବନ୍ଧୁଙ୍କ ଘରୁ ବାହାରି ସ୍କୁଟିରୁ କାଗଜ ନେବାକୁ ଆସିଥିବା ବେଳେ ସ୍କୁଟି ଡିକି ଭାଙ୍ଗି ଥିବା ଦେଖିଥିଲେ । ଆଉ ବ୍ୟାଙ୍କରୁ ଉଠିଥିବା ଟଙ୍କା ମଧ୍ୟ ନ ଥିଲା । ତୁରନ୍ତ ଆପ୍ପା ରାଓ ରାୟଗଡା ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ବ୍ୟାଙ୍କରେ ଲାଗିଥିବା ସିସିଟିଭିକୁ ଅନୁଧ୍ୟାନ କରିବା ସହ ଉକ୍ତ ସମୟରେ ସନ୍ଦେହ ଭାବେ ଏକ ବାଇକ ସେହି ଅଞ୍ଚଳରେ ବାରମ୍ବାର ପଇଁତରା ମାରୁଥିବା ଦେଖିବାକୁ ମିଳିଛି । ରାୟଗଡା ସହର ସୀମାନ୍ତରେ ଆନ୍ଧ୍ରପ୍ରଦେଶ ଲାଗି ରହିଥିବାରୁ ଆନ୍ତଃ ରାଜ୍ୟ ଲୁଟେରା ଏଥିରେ ସମ୍ପୃକ୍ତ ଥିବା ପୋଲିସ ସନ୍ଦେହ କରୁଛି । ଏନେଇ ପୋଲିସ ଅଧିକା ତଦନ୍ତ ଜାରି ରଖିଛି । ତଦନ୍ତ ପରେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ଆଇଆଇସି କେକେ ବିକେ କହଁର ପ୍ରକାଶ କରିଛନ୍ତି ।