ରାୟଗଡ଼ା: ଜିଲ୍ଲାରେ ବୁଲି ବୁଲି ଅହିଂସା ବାର୍ତ୍ତା ପ୍ରଚାର କରୁଛି ଅହିଂସା ରଥ । ସାମିଲ ହେଲେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା । ବିଧାୟକ, ସରକାରୀ ଅଧିକାରୀ ଓ ବିଭିନ୍ନ ଜନପ୍ରତିନିଧି ମଧ୍ୟ ଏହି ଯାତ୍ରାରେ ହେଉଛନ୍ତି ସାମିଲ । ଏନେଇ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି କରାଯାଇଛି ।
ରାୟଗଡ଼ା ଜିଲ୍ଲାକୁ ଦୁଇଟି ଅହିଂସା ରଥ କୋରାପୁଟ ଦେଇ ଗତକାଲି (ଶନିବାର) ସକାଳେ ରାୟଗଡ଼ା ବ୍ଲକର କୁଟୁଲି ଠାରେ ପ୍ରବେଶ କରିଥିଲା । ଏଥିରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ତଥା ଆଇନ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇ ଏହି ଅହିଂସା ରଥକୁ ରାୟଗଡ଼ା ଜିଲ୍ଲାକୁ ସ୍ବାଗତ କରିଥିଲେ । ସେହିପରି ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା, ଉପଜିଲ୍ଲାପାଳ ଭୀମସେନ ଶବର, ତହସିଲଦାର ତାପସ ରାଉତ, ଜିଲ୍ଲା ମଙ୍ଗଳ ଅଧିକାରୀ ଅଶୋକ କୁମାର ଶତପଥି, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରମେଶ ଚନ୍ଦ୍ର ନାଏକ, ଜିଲ୍ଲା ସଂସ୍କୃତି ଅଧିକାରୀ ସସ୍ମିତା ବାଉରୀ, ଅତିରକ୍ତ ବିଡିଓ କାଳୁଚରଣ ନାୟକ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ଜନସାଧାରଣଙ୍କ ସମେତ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗଦେଇ ରଥକୁ ସ୍ବାଗତ କରିଥିଲେ ।
ଏହାପରେ ରାୟଗଡ଼ା ବ୍ଲକର କୁମ୍ଭୀକଟା, ଗୁମା ଓ କେରଡ଼ାରେ ଏହି ଅହିଂସା ରଥକୁ ସ୍ବାଗତ କରାଯାଇଥିଲା । ଏହି ସ୍ଥାନରେ ସ୍ବାଧୀନତା ସଂଗ୍ରାମୀ ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୀବନି ଉପରେ ଭିଡ଼ିଓ ପ୍ରଦର୍ଶନ କରାଯାଇଥିଲା । ସେହିପରି ପୌର ପରିଷଦ ତରଫରୁ ରାୟଗଡ଼ା ସହରରେ ଅପରାହ୍ନ ୨.୩୦ ଘଟିକା ସମୟରେ ସ୍ଥାନୀୟ ସହିଦ ଲକ୍ଷ୍ମଣ ନାୟକ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସେଠାରୁ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା । ଏଥିରେ ନଗରପାଳ ପି ମାହେଶ ପଟ୍ଟନାୟକ, ଉପନଗରପାଳ ଶୁଭ୍ର ପଣ୍ଡା, ପୌରପରିଷଦର ସଭ୍ୟ, ବିଭିନ୍ନ ସଂଗଠନର କର୍ମକର୍ତ୍ତା, ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ ।