ରାୟଗଡା: ଜିଲ୍ଲାରେ ପୃଥକ ପୃଥକ ଭାବେ ବିଜେଡି ନେତା କରିଛନ୍ତି ପଦଯାତ୍ରା । ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ଉଦ୍ଦେଶ୍ୟରେ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ପଦଯାତ୍ରା ଆଜି ଶେଷ ହୋଇଛି । କ୍ରାନ୍ତିକାରୀ ନେତା ଜୟପ୍ରକାଶ ନାରାୟଣଙ୍କ ଜୟନ୍ତୀରେ ଏହି ଯାତ୍ରା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିଲା । ଆଜି ଜିଲ୍ଲା ସଭାପତି ସୁଧୀର ଦାସଙ୍କ ନେତୃତ୍ବରେ ରାୟଗଡା ଜିଲ୍ଲା ବିଷମକଟକ ନିର୍ବାଚନ ମଣ୍ଡଳୀର ମା' ମାର୍କମା ମନ୍ଦିରଠାରୁ ଏକ ବିରାଟ ପଦଯାତ୍ରା ଆରମ୍ଭ ହୋଇ ନେତାଜୀ ଛକ ପର୍ଯ୍ୟନ୍ତ ଆସିଥିଲା । ଏହି ପଦଯାତ୍ରାରେ ଆଦୀବାସୀ କଲ୍ୟାଣ ତଥା ଆଇନମନ୍ତ୍ରୀ ଜଗନ୍ନାଥ ସାରକା, ଗୁଣପୁର ବିଧାୟକ ରଘୁନାଥ ଗମାଙ୍ଗ, ରାୟଗଡା ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି ଓ ଜିଲ୍ଲା ପରିଷଦ ଚେୟାରମ୍ୟାନ ସରସ୍ବତୀ ମାଝୀଙ୍କ ସମେତ ହଜାର ହଜାର ବିଜେଡି କର୍ମୀ ଏହି ପଦଯାତ୍ରାରେ ଅଂଶଗ୍ରହଣ କରିଥିଲେ ।
ସେହିଭଳି ରାୟଗଡ଼ା ନିର୍ବାଚନମଣ୍ଡଳୀର ରାୟଗଡ଼ାଠାରେ ବିଜେଡ଼ି ପକ୍ଷରୁ ମଧ୍ୟ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଦଳର ରାଜ୍ୟ ଉପସଭାପତି ଏନ.ଭାସ୍କର ରାଓଙ୍କ ନେତୃତ୍ୱରେ ଆୟୋଜିତ ଏହି ଜନସମ୍ପର୍କ ପଦଯାତ୍ରାରେ ୧୦ହଜାରରୁ ଉର୍ଦ୍ଧ୍ବ କର୍ମୀ ଯୋଗଦେଇଥିଲେ । ରାୟଗଡ଼ା ବସଷ୍ଟାଣ୍ଡଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ ପରେ ପଦଯାତ୍ରା ଆରମ୍ଭ ହୋଇଥିଲା । ରାୟଗଡ଼ା ସହରର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ସ୍ଥାନୀୟ ତେଜସ୍ୱୀ ପଡ଼ିଆଠାରେ ପଦଯାତ୍ରା ଶେଷ ହୋଇଥିଲା ।