ଓଡିଶା

odisha

ETV Bharat / state

ଜିଲ୍ଲାପାଳ ଅଫିସ ଘେରିଲେ କେନ୍ଦୁପତ୍ର କର୍ମଚାରୀ ସଂଘ, ଜାଣନ୍ତୁ କଣ ଦାବି

୧୪ ଦଫା ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରି ରାୟଗଡା ଜିଲ୍ଲା କେନ୍ଦୁପତ୍ର କର୍ମଚାରୀ ସଂଘ । ଅଧିକ ପଢନ୍ତୁ

By

Published : May 31, 2023, 4:48 PM IST

kendu leaf pluckers protest
ଜିଲ୍ଲାପାଳ ଅଫିସ ଘେରିଲେ କେନ୍ଦୁପତ୍ର କର୍ମଚାରୀ ସଂଘ

ଜିଲ୍ଲାପାଳ ଅଫିସ ଘେରିଲେ କେନ୍ଦୁପତ୍ର କର୍ମଚାରୀ ସଂଘ

ରାୟଗଡା:ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିଛନ୍ତି କେନ୍ଦୁପତ୍ର କର୍ମଚାରୀ । ବିଭିନ୍ନ ଦାବି ନେଇ କେନ୍ଦୁପତ୍ର କର୍ମଚାରୀ ସଂଘର ଜିଲ୍ଲାପାଳ ଅଫିସ ଘେରାଉ କରିଛନ୍ତି । ରାୟଗଡ଼ା ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘର ରାୟଗଡା ଶାଖା ପକ୍ଷରୁ ୧୪ ଦଫା ଦାବି ପୂରଣ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛି । ଦାବି ପୂରଣ ନହେଲେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ରାୟଗଡା କେନ୍ଦୁପତ୍ର କର୍ମଚାରୀ ସଂଘର କର୍ମକର୍ତ୍ତା ।

ବିଭିନ୍ନ ଦାବି ସମ୍ବଳିତ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଲାପାଳ ସୋମନାଥ ପ୍ରଧାନଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ନିୟମାନୁଯାୟୀ କେନ୍ଦୁପତ୍ର ତୋଳାଳି ଶ୍ରମିକଙ୍କ ଯେଉଁ ସହାୟତା ଓ ସହଯୋଗ ରକ୍ଷା କରିବା କଥା ତାହା କେବଳ କାଗଜ ପତ୍ରରେ ସୀମିତ ରହିଥିବା ଅଭିଯୋଗ କରିଛନ୍ତି କେନ୍ଦୁପତ୍ର ତୋଳାଳି । ରାଜ୍ୟର କେନ୍ଦୁପତ୍ର ତୋଳାଳି, ସିଜିନାଲ୍ କର୍ମଚାରୀ ଓ ବନ୍ଧେଇ ଶ୍ରମିକମାନଙ୍କୁ ବୋନସ୍‌ ଓ ଅନ୍ୟାନ୍ୟ ସାମାଜିକ ନିରାପତ୍ତା ସହାୟତା ପ୍ରଦାନ କରାଯିବା କଥା, କିନ୍ତୁ ଏଯାଏଁ କେନ୍ଦୁପତ୍ର ତୋଳାଳିଙ୍କ ସମସ୍ୟାର ସମାଧାନ ହୋଇପାରିଲା ନାହିଁ । ରାଜ୍ୟରେ ଲକ୍ଷଲକ୍ଷ କେନ୍ଦୁପତ୍ର ତୋଳାଳି ଏବେ ଶୋଷଣର ଶିକାର ହେଉଛନ୍ତି ବୋଲି ସଂଘ ଦାବି କରିଛି । କେନ୍ଦୁପତ୍ର ତୋଳାଳିଙ୍କୁ ବୋନସ୍ ମିଳିବା ଆବଶ୍ୟକ ହୋଇଥିବା ବେଳେ ସରକାର ତୋଳାଳିଙ୍କୁ ଏହି ଅଧିକାରରୁ ବଞ୍ଚିତ କରୁଥିବା ସଂଘ ପକ୍ଷରୁ ଅଭିଯୋଗ ହୋଇଛି ।

ସେହିପରି ଚେକର୍‌ମାନଙ୍କୁ ଦୈନିକ ୪୯୫ ଟଙ୍କା ହିସାବରେ ୯୦ ଦିନର କାମ ମିଳୁଥିବା ବେଳେ ମୁନସି ଓ ଚପରାଶି ମାନଙ୍କୁ ୬୦ ଦିନର କାମ ମିଳିଥାଏ । କିନ୍ତୁ ସରକାରୀ ନିର୍ଦ୍ଦେଶ ଅନୁଯାୟୀ ଏହି ଶ୍ରମିକଙ୍କୁ ସହାୟତା ମିଳୁନଥିବା ବେଳେ ୯୦ ଦିନର ଦରମା ଦେଇ ୬ ମାସ କାର୍ଯ୍ୟରେ ଲଗାଉଛନ୍ତି । ଯାହା କେନ୍ଦୁପତ୍ର ତୋଳାଳି ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ଶୋଷଣ କରାଯାଉଥିବା ଅଭିଯୋଗ ହୋଇଛି । ଶ୍ରମିକମାନଙ୍କ ପୁଅ ଓ ଝିଅ ମାନଙ୍କୁ ମେଧାବୃତ୍ତି ଦେବା ପାଇଁ ସରକାର ବ୍ୟବସ୍ଥା କରିଥିବା ବେଳେ କରୋନା ପରଠା ଆଉ ବୃତ୍ତି ଟଙ୍କା ବି ମିଳୁନାହିଁ । ସେହିପରି ଝିଅ ବାହାଘରରେ ସରକାରଙ୍କ ଆର୍ଥିକ ସହାୟତା ବାବଦକୁ ୨୫ ହଜାର ଟଙ୍କା ଦେବାର ବ୍ୟବସ୍ଥା ରହିଥିବା ବେଳେ ଏଯାଏଁ କୌଣସି କେନ୍ଦୁପତ୍ର ତୋଳାଳିଙ୍କୁ ସହାୟତା ପ୍ରଦାନ କରାଯାଉ ନାହିଁ ।

ସେହିପରି ବାର୍ଷିକ ୧୦ ପ୍ରତିଶତ ବୋନସ ହିସାବରେ ପ୍ରାୟ ୪୦୦୦ ଟଙ୍କା ପର୍ଯ୍ୟନ୍ତ ବୋନସ ପାଉଥିଲେ । 2ବର୍ଷ ହେଲା ସେଥିରୁ ବଞ୍ଚିତ ହୋଇଥିବା କେନ୍ଦୁପତ୍ର ତୋଳାଳିଙ୍କୁ ପୁନଃବୋନସ୍ ଦେବାର ବ୍ୟବସ୍ଥା କରିବା ସହ କେନ୍ଦୁପତ୍ର ତୋଳାଳିଙ୍କ ନିଯୁକ୍ତିକୁ ସରକାର ସ୍ଥାୟୀ କରିବା ପାଇଁ ସଙ୍ଘ ପକ୍ଷରୁ ଦାବି କରାଯାଇଛି । କେନ୍ଦୁପତ୍ର ତୋଳାଳିଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ କରିବାକୁ ସଂଘ ଦାବି କରିଛି । ଆସନ୍ତା ଜୁନ୍ ମାସ ସୁଦ୍ଧା ଘୋଷଣା କରିବାକୁ ଦାବି କରିଛି । ତେବେ ଆସନ୍ତା ଦିନରେ ରାଜ୍ୟ ସରକାର କେନ୍ଦୁପତ୍ର ତୋଳାଳିଙ୍କ ସମସ୍ୟାକୁ ଅଣଦେଖା କଲେ ସଂଘ ପକ୍ଷରୁ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି ।

ଇଟିଭି ଭାରତ, ରାୟଗଡା

ABOUT THE AUTHOR

...view details