ରାୟଗଡା: କାଳିଆପଡା ଘାଟି ଲୁଟ୍ ମାମଲାରେ ଧରାପଡିଲେ ଅଭିଯୁକ୍ତ, ଜବତ ହେଲା ଟଙ୍କା । ବହୁଚର୍ଚ୍ଚିତ କାଳିଆପଡା ଘାଟି ଲୁଟ୍ ମାମଲାର ପର୍ଦ୍ଦଫାସ୍ କରିବା ସହ ଲୁଟ୍ ହୋଇଥିବା ଟଙ୍କା ଜବତ କରି ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ରାୟଗଡା ପୋଲିସ । ଲଙ୍କାଗୁଣ୍ଡ ଫିଙ୍ଗି ଲକ୍ଷାଧିକ ଟଙ୍କା ଲୁଟ୍ ମାମଲାରେ ପୋଲିସର ତଦନ୍ତରେ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ ।
ସୂଚନାଅନୁଯାୟୀ ଗତକାଲି ଟ୍ରକ ଚାଳକ ରାମାସ୍ୱାମୀ ଗରଡ ଓ ହେଲ୍ପର ସୁଶାନ୍ତ କଳ୍ପ ଟ୍ରକ ଧରି ଟିକିରିରୁ ରାୟଗଡା ଅଭିମୁଖେ ବାହାରିଥିଲେ । ଅଣ୍ଡା ଡେଲିଭରୀ ବାବଦକୁ ଗାୟତ୍ରୀ ଭଣ୍ଡାରରୁ ନଗଦ ୧ ଲକ୍ଷ ୬୦ ହଜାର ଟଙ୍କା ଧରି ସଂଧ୍ୟା ପ୍ରାୟ ୬ଟା ୩୦ ମିନିଟ୍ ସମୟରେ ଫେରୁଥିଲେ । ରାୟଗଡା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ କାଳିଆପଡା ଘାଟି ନିକଟରେ ହଠାତ୍ ୪ ଅଜଣା ବ୍ୟକ୍ତି ବାଇକରେ ଆସି ତାଙ୍କୁ ଅଟକାଇବା ସହ ଆଖିରେ ଲଙ୍କାଗୁଣ୍ଡ ମାଡ କରିଥିଲେ । ଲଙ୍କାଗୁଣ୍ଡ ଜ୍ୱାଳାରେ ଉଭୟ ରାମାସ୍ୱାମୀ ଓ ସୁଶାନ୍ତ ଛଟପଟ ହେଉଥିବାବେଳେ ନଗଦ ଟଙ୍କା ଧରି ଚମ୍ପଟ୍ ମାରିଥିଲେ ଏହି ୪ ଲୁଟେରା । ଏହି ଘଟଣାକୁ ନେଇ ରାମାସ୍ୱାମୀ ଟିକିରି ଥାନାରେ ଅଭିଯୋଗ କରିବା ପରେ ପୋଲିସ ଆରମ୍ଭ କରିଥିଲା ଖୋଳତାଡ ।