ରାୟଗଡା: କଣ୍ଟେନର ଚାପାରେ ଦୁଷ୍କର୍ମ ଅଭିଯୁକ୍ତ ସନ୍ତୋଷ ପଣ୍ଡୁର ମୃତ୍ୟୁ ଘଟଣାରେ ଆରମ୍ଭ ହୋଇଛି ବିଚାରବିଭାଗୀୟ ତଦନ୍ତ । ଏନେଇ ରାୟଗଡା ଏସଡିଜେଏମ ରାଜେନ୍ଦ୍ର କୁମାର ଦାଶ ଘଟଣାସ୍ଥଳ ପରିଦର୍ଶନ କରି ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରିଛନ୍ତି । ସେପଟେ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଟିକିରି ଥାନାର ଦୁଇ କନେଷ୍ଟବଳ ସନ୍ତୋଷ ଶବର ଓ ଆର୍. ଏନ୍. ଶବରଙ୍କୁ ଚାକିରୀରୁ ନିଲମ୍ବନ କରିଛନ୍ତି ଏସପି ଶ୍ରବଣ ବିବେକ ଏମ୍ ।
ସୂଚନା ଅନୁଯାୟୀ ଟିକିରି ଥାନା ଅଞ୍ଚଳର ଜଣେ କଲେଜ ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗରେ ଗତ 12 ତାରିଖ ରାତିରେ ଟିକିରି ପୋଲିସ ସନ୍ତୋଷ ପଣ୍ଡୁଙ୍କୁ ବିଷମକଟକରୁ ଗିରଫ କରିଥିଲା । 13 ତାରିଖ ପୂର୍ବାହ୍ନରେ ପୀଡ଼ିତା ଛାତ୍ରୀ ଓ ସନ୍ତୋଷର ରାୟଗଡା ମେଡ଼ିକାଲରେ ଡାକ୍ତରୀ ପରୀକ୍ଷା ହୋଇଥିଲା । ଏହାପରେ ସନ୍ତୋଷକୁ କୋର୍ଟ ଚାଲାଣ କରିବା ପାଇଁ ରାୟଗଡ଼ା ଥାନାରେ ରଖାଯାଇଥିଲା । ତେବେ ନିଜ ନାଁରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିବା ଜାଣି ସନ୍ତୋଷ ପୋଲିସ କବଳରୁ ଫେରାର ହେବା ପାଇଁ ଚେଷ୍ଟା କରିଥିଲା ।
ଏହି ସମୟରେ ସେ ସୁରକ୍ଷା ଦାୟିତ୍ବରେ ଥିବା ଦୁଇ କନେଷ୍ଟବଳକୁ ବାନ୍ତି ଆସୁଥିବା କହି ଥାନା ବାହାରକୁ ଆସିବା ପରେ ଫେରାର ଉଦ୍ୟମ କରୁଥିଲା। ହେଲେ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ କଣ୍ଟେନରରେ ପିଟି ହୋଇ ଚକା ତଳେ ପଡ଼ି ଯାଇଥିଲା ସନ୍ତୋଷ । ଗୁରୁତର ଅବସ୍ଥାରେ ସନ୍ତୋଷକୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏନେଇ ଦୁର୍ଘଟଣାର 48 ଘଣ୍ଟା ପରେ ଅର୍ଥାତ୍ ଜୁଲାଇ 15 ତାରିଖ ସନ୍ଧ୍ୟାରେ ଏସପି ଡ଼ଃ ଶ୍ରବଣ ବିବେକ ଏମ ଜାତୀୟ ମାନବାଧିକାର କମିଶନ(ଏନଏଚଆରସି), ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ, ଏଡିଜି କ୍ରାଇମ ଓ ଜିଲ୍ଲା ଜଜ୍ଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ ।