ରାୟଗଡା: ଜେକେ କାଗଜକଳର ଅଧିକାରୀଙ୍କ କୋରୋନା ଟିକା ନେବା ବିବାଦ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ପ୍ରକୃତ କୋରୋନା ଯୋଦ୍ଧାଙ୍କୁ ଏଯାଏଁ ଟିକା ମିଳିନଥିବା ବେଳେ ନିଜକୁ ଆତ୍ମ ଘୋଷିତ କୋରୋନା ଯୋଦ୍ଧାର ଯୁକ୍ତି ଦର୍ଶାଇ କାଗଜକଳର ଅଧିକାରୀମାନେ ଟିକା ନେବା ପରେ ଏବେ ସାରା ଜିଲ୍ଲାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଘଟଣା ଉପରେ ପରଦା ପକେଇବା ପାଇଁ ତରବରିଆ ଭାବରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଦିଗହୀନ ୨୪ ଘଣ୍ଟିଆ ତଦନ୍ତ ନିର୍ଦ୍ଦେଶ ପ୍ରକୃତ ଦୋଷୀକୁ ଧରିବା ସହ ସତ୍ୟ ପଦାକୁ ଆସିବା ନେଇ ସନ୍ଦେହ ଦେଖାଦେଇଛି ।
ଅନୁସନ୍ଧାନରୁ ଜଣାଯାଇଛି, ଜେକେ କାଗଜକଳର ଡିସ୍ପେନସେରୀରେ କାର୍ଯ୍ୟରତ ସ୍ୱାସ୍ଥ୍ୟକର୍ମୀ, ଡାକ୍ତର, ନର୍ସ ଏବଂ ଝାଡୁଦାର ଅର୍ଥାତ ସରକାରଙ୍କ ଦ୍ଵାରା ଚିହ୍ନଟ ଆଗ ଧାଡିର କୋଭିଡ ଯୋଦ୍ଧାଙ୍କ ତାଲିକା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜେକେ କାଗଜକଳର କର୍ତ୍ତୃପକ୍ଷଙ୍କୁ ମଗାଯାଇଥିଲା । କାରଖାନାର ଲୋକସମ୍ପର୍କ ବିଭାଗ ପକ୍ଷରୁ ୨୬ ଜଣଙ୍କ ତାଲିକା ପଠାଯାଇଥିଲା । ତେବେ ସେହି ତାଲିକା ମଧ୍ୟରୁ ହାତଗଣତି ପ୍ରକୃତ କୋରୋନା ଯୋଦ୍ଧା ରହିଥିବା ବେଳେ ଜେକେ କାଗଜକଳର ଅଧିକାରୀ ରହିଥିବା ଜଣାପଡିଛି ।