ରାୟଗଡା:ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ । ଚୋରି କରି ନେଲେ ଭରି ଭରି ସୁନାଗହଣା । ରାୟଗଡା ଜିଲ୍ଲା କସ୍ତୁରୀ ନଗରରେ ଏକ ବଡଧରଣ ଚୋରି ହୋଇଛି । ଘର ତାଲା ଭାଙ୍ଗି ୩୦ ଭରି ସୁନାଗହଣା ସହ ୩୦ ହଜାର ନଗଦ ଟଙ୍କା ଏବଂ ୨ କେଜିରୁ ଊର୍ଦ୍ଧ୍ବ ରୂପା ଗହଣା ଚୋରି କରି ନେଇଛନ୍ତି ଦୁର୍ବୃତ୍ତ । ଘଟଣାସ୍ଥଳରେ ପୋଲିସ, ଡଗସ୍କାର୍ଡ ଓ ସାଇଣ୍ଟିଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।
କସ୍ତୁରୀ ନଗରରେ ରହୁଥିବା ଜେକେ କାଗଜ କଳର ଅବସରପ୍ରାପ୍ତ କର୍ମଚାରୀ ପୀତବାସ ସାହୁଙ୍କ ଘରୁ ଚୋରି ହୋଇଛି । ତାଙ୍କ ସ୍ତ୍ରୀ କଞ୍ଚନା ସାହୁଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଥିବାରୁ ଗତ ୧୧ତାରିଖରୁ ଭୁବନେଶ୍ବର ଏକ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଫଳରେ ରାୟଗଡାରେ ନିଜେ ରହୁଥିବା ଘରେ ତାଲା ପଡିଥିବାର ସୁଯୋଗ ନେଇ ଦୁର୍ବୃତ୍ତମାନେ ମୁଖ୍ୟ କବାଟ ତାଡି ଘରେ ପଶିଥିଲେ । ୨ଟି ଆଲମାରୀ ଭାଙ୍ଗି ୩୦ହଜାର ନଗଦ ଟଙ୍କା, ସୁନା କାନଫୁଲ, ଚୁଡି,ଚେନ ଆଦି ୩୦ ଭରି ସୁନାଗହଣା, ୫ଟି ପୁରୁଣା ରୁପା ପଇସା ସହ ୨କେଜିରୁ ଊର୍ଦ୍ଧ୍ବ ରୂପା ଗହଣା ଚୋରି କରି ନେଇଛନ୍ତି ।