ରାୟଗଡା:ଆଦିବାସୀଙ୍କ ନିଆରା ବିଶ୍ବାସର ପର୍ବ ଜନାସରଣୀ ପୂଜା ବା ନୂଆଖାଇ (Jana Jarani Puja Festival in Rayagada) । ବିଶ୍ବାସରେ ବନ୍ଧା ଏଠି ଆଦିବାସୀ ସମ୍ପ୍ରଦାୟ । ବିଶ୍ବାସ ହେଉଛି ସେମାନଙ୍କ ଜୀବନ ଯାପନର ପୁଞ୍ଜି । ଏହାକୁ ଆଧାର କରି ସେମାନେ ବଞ୍ଚିଥାନ୍ତି । ପ୍ରକୃତି ଉପାସନା ସେମାନଙ୍କ ଆଉ ଏକ ପରମ୍ପରା । ସେଇଥି ପାଇଁ ଋତୁ ଅନୁଯାୟୀ ଏମାନଙ୍କ ନିଆରା ପୂଜା ପରମ୍ପରା ରହିଛି । ପୂଜା ପାର୍ବଣ ସତେ ଯେମିତି ସେମାନଙ୍କ ଜୀବନ ଜୀବିକାର ଆଉ ଏକ ଅଙ୍ଗ । ସେହିପରି ସେମାନଙ୍କ ଅତୁଟ ବିଶ୍ବାସର ଏକ ପର୍ବ ଜନାସରଣୀ ପୂଜା । ଆଦିବାସୀ ପରମ୍ପରାରେ ଏହି ପୂଜାକୁ କୃଷିଭିତ୍ତିକ ପୂଜା ରୂପେ ପାଳନ କରାଯାଏ । ଫସଲ ଅମଳ ପୂର୍ବରୁ ଏହି ପୂଜା ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାରେ ବହୁଳ ରୂପେ କରାଯାଏ ।
ଫସଲର ପ୍ରଥମ ଅମଳ ଖାଇଥାଏ ଅସୁରୁଣୀ ଚଇତି ପର୍ବ, ମାଣ୍ଡିଆରାଣୀ, ନୂଆଁଖାଇ, ଜନାଖାଇ ଆଦି ପୂଜା ବିଭିନ୍ନ ଋତୁରେ ପାଳନ କରାଯାଉଥିବା ବେଳେ ଭାଦ୍ରବ ମାସରେ ଆଦିବାସୀ ବସ୍ତିମାନଙ୍କରେ ପାଳନ କରୁଥିବା ପୂଜାକୁ ଭୁଦବଳାନି ବା ଜନାସରଣୀ ଅବା ଜନାଖାଇ ପୂଜା କୁହନ୍ତୁ । ମୂଖ୍ୟତଃ ଏହି ସମୟରେ ଡଙ୍ଗରରେ ମକା ଫସଲର ଆମଦାନୀ ସମୟ । ମକା ମଞ୍ଜି ଲଗାଇବା ସମୟରେ ଜନାଖାଇ ଅସୁରୁଣୀକୁ ମକା ବାଡର ସୁରକ୍ଷା ଦୟିତ୍ଵ ଦେଇଥିବା ବେଳେ ମକତୋଳି ଘରକୁ ନେବା ପରେ ପ୍ରଥମ ମକା ଜନାଖାଇ ଅସୁରୁଣୀକୁ ସମର୍ପଣ ପରେ ଯାଇଥାଏ (Budhiasruni Eats First Crop ) ଏବଂ ପରେ ନିଜେ ବ୍ୟବହାର କରିଥାନ୍ତି ଆଦିବାସୀ ସମ୍ପ୍ରଦାୟ ।
ଏହା ମଧ୍ୟ ପଢନ୍ତୁ-ବମ୍ବେ ଷ୍ଟକ ଏକ୍ସଚେଞ୍ଜର ଓପନିଂ ବେଲ୍ ବଜାଇଲେ ନବୀନ
ତେବେ କେଉଁ ଦିନ ଭୁଦବଳାନି ବା ଜନା ସରଣୀ ଅବା ଜନାଖାଇ ପୂଜା ହେବ ସେ ନେଇ ଗାଁ ଦିଶାରୀ, ବେଜୁଣି , ବାରିକ ଏବଂ ଗାଁ ସଉନ୍ତା ଏକାଠି ବସି ଯାନୀ ଗୁଡ଼ିରେ ଦିନ ,ସମୟ ଏବଂ ଦିଗ ନିର୍ଧାରଣ କରିଥାନ୍ତି । ସ୍ଥିରୀକୃତ ଦିନ ଏବଂ ତିଥିରେ ପୂଜା ପାଇଁ ଗାଁରେ ଇଷ୍ଟ ଦେବୀ ସ୍ଥାପନା କରି ଗାଁ ସନ୍ଧିରେ ଅଦୃଶ୍ୟ ଶକ୍ତିର ଉପାସନା ପୂର୍ବକ ଜନାଖାଇ ଅସୁରୁଣୀର ମାଟି ମୂର୍ତ୍ତି ନିର୍ମାଣ କରାଯାଇଥାଏ । ଆଦିବାସୀ ସମ୍ପ୍ରଦାୟର ଅତ୍ୟୁଟ ବିଶ୍ବାସ ରହିଛି ଯେ ଏହି ପୂଜା ନକଲେ ଜନାଖାଇ ଅସୁରୁଣୀର କୋପରେ ଗାଁରେ ରୋଗ, ବେମାର ସହ ମହାମାରୀ ଦେଖାଦେବ ।
ମୂଖ୍ୟତଃ ଏହି ପୂଜା ମକା ଅମଳ ପରେ ଆଦିବାସୀ ସମ୍ପ୍ରଦାୟର ରମଣୀ ଓ ପୁରୁଷ ଏହି ପୂଜା କରିଥାନ୍ତି । ଦିସାରି ଓ ଜାନି ଗାଁ ମୁଣ୍ଡରେ ଥିବା ନିଶାନ ମୁଣ୍ଡା ଗାଁ ଠାକୁରାଣୀଙ୍କ ନିକଟରୁ ଆଜ୍ଞା ସ୍ବରୁପ ହଳଦୀ ନିର୍ମିତ ପାଦଆଣି ପୂଜାର ଶୁଭି ଆରମ୍ଭ କରିଥାନ୍ତି । ବିଭିନ୍ନ ଦେବା ଦେବୀଙ୍କ ନାମରେ ପାରମ୍ପରିକ ବାଦ୍ୟର ତାଳେତାଳେ ବେଜୁଣି ନାଚିବା ସହ ଧୂପ, ଦୀପ, ଝୁଣା ଓ ଜଡାର ବାସ୍ନାରେ ସମ୍ପୁର୍ଣ୍ଣ ଗାଁରେ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥାଏ । ଗାଁ ମୁଣ୍ଡରେ ଥିବା ପ୍ରମୁଖ ସନ୍ଧିରେ ଜନାଖାଇ ଅସୁରୁଣୀର ମୂର୍ତ୍ତି ସ୍ଥାପନ କରି ଅଦୃଶ୍ୟ ଶକ୍ତିକୁ ପୂଜା କରାଯାଇ ନିଜ ବଡ ବା ଡାଙ୍ଗରରେ ଫଳିଥିବା ମକା ସମର୍ପଣ କରାଯାଇଥାଏ । କେବଳ ସେତିକି ନୁହଁ ଜନାଖାଇ ଅସୁରୁଣୀକୁ ଶାନ୍ତ କରିବା ପାଇଁ ସେଠାରେ କୁକୁଡା ଓ ଛେଳି, ଘୁଷୁରି ଆଦିକୁ ବଳି ଦିଆଯାଇଥାଏ । ବଳୀ ପରେ ରକ୍ତକୁ ସମ୍ପୃକ୍ତ ରାକ୍ଷାସର ଜିଭରେ ଢଳାଯାଇ ଶାନ୍ତ କରିବା ନିୟମ ରହିଛି ।
ଇଟିଭି ଭାରତ, ରାୟଗଡା