ଓଡିଶା

odisha

ETV Bharat / state

ଶିକ୍ଷୟିତ୍ରୀ ଇତିଶ୍ରୀ ହତ୍ୟା ମାମଲାର ଅଭିଯୁକ୍ତ ମୃତ, ରହସ୍ୟଘେରରେ ଅସମାହିତ ପ୍ରଶ୍ନ - ଇତିଶ୍ରୀ ହତ୍ୟାକାଣ୍ଡ

ସୋମବାର ଚିକିତ୍ସାଧିନ ଅବସ୍ଥାରେ ବହୁ ଚର୍ଚ୍ଚିତ ଇତିଶ୍ରୀ ମାମଲାର ଦୋଷୀ ନେତ୍ରାନନ୍ଦ ଦଣ୍ଡସେନର ମୃତ୍ୟୁ ହୋଇଛି । ଏବେ ବି ଏହି ମାମଲା ଏକ ଅସମାହିତ ପ୍ରଶ୍ନ ହୋଇ ରହିଯାଇଛି । ଅଧିକ ପଢନ୍ତୁ...

ଇତିଶ୍ରୀ ମାମଲାରେ ନେତ୍ରାନନ୍ଦ ଏକ ଅସମାହିତ ପ୍ରଶ୍ନ
ଇତିଶ୍ରୀ ମାମଲାରେ ନେତ୍ରାନନ୍ଦ ଏକ ଅସମାହିତ ପ୍ରଶ୍ନ

By

Published : Aug 18, 2020, 8:15 AM IST

Updated : Aug 18, 2020, 11:48 AM IST

ରାୟଗଡା: ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ମୃତ୍ୟୁ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ଦଣ୍ଡ ଭୋଗୁଥିବା ନେତ୍ରାନନ୍ଦ ଦଣ୍ଡସେନାଙ୍କ ମୃତ୍ୟୁ ହୋଇଛି । ଏନେଇ କୋରାପୁଟ ଜେଲ ଅଧୀକ୍ଷକ ସୂଚନା ଦେଇଛନ୍ତି । 2016 ମସିହାରୁ କୋରାପୁଟ ସର୍କଲ ଜେଲରେ ବନ୍ଦୀ ଜୀବନ ବତାଉଥିଲେ ଦଣ୍ଡସେନ ।

ଇତିଶ୍ରୀ ମାମଲାରେ ନେତ୍ରାନନ୍ଦ ଏକ ଅସମାହିତ ପ୍ରଶ୍ନ

ଜେଲରେ ଦଣ୍ଡ ଭୋଗୁଥିବା ସମୟରେ ଦଣ୍ଡସେନଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର ହୋଇପଡିଥିଲା । ତାଙ୍କୁ ଚିକିତ୍ସା ପାଇଁ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସା ସମୟରେ ସୋମବାର ତାଙ୍କର ମୃତ୍ୟୁ ହୋଇଛି । ସେପଟେ, ଦଣ୍ଡସେନଙ୍କ ମୃତ୍ୟୁକୁ ନେଇ ପରିବାର ଲୋକେ ଜାଣିଶୁଣି ମାରି ଦେଇଥିବାର ଅଭିଯୋଗ ଆଣିଛନ୍ତି ।

2011 ମସିହାରେ ପୁରୀ ଡେଲାଙ୍ଗର ଇତିଶ୍ରୀ ପ୍ରଧାନ ଶିକ୍ଷା ସହାୟିକା ଭାବେ ରାୟଗଡା ଜିଲ୍ଲା ଟିକିରି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନିଯୁକ୍ତ ପାଇଥିଲେ । ନିଯୁକ୍ତି ପରେ ଇତିଶ୍ରୀ ନେତ୍ରାନନ୍ଦଙ୍କ ସଂସ୍ପର୍ଶରେ ଆସିଥିଲେ । ଇତିଶ୍ରୀଙ୍କୁ ନେତ୍ରାନନ୍ଦ ନିଜ ଘରେ ରହିବାକୁ ଜାଗା ଦେଇଥିଲେ । ପରେ ତାଙ୍କୁ ବିଭିନ୍ନ ସମୟରେ ନିର୍ଯ୍ୟାତନା ଓ ଦୁଷ୍କର୍ମ କରିବାକୁ ଦଣ୍ଡସେନ ଉଦ୍ୟମ କରୁଥିବା ନେଇ ଇତିଶ୍ରୀ 2013ରେ ଜୁଲାଇ 17ରେ ଟିକିରି ଥାନାରେ ଅଭିଯୋଗ କରିଥିଲେ । ହେଲେ ପୋଲିସ କୌଣସି ଠୋସ ପଦକ୍ଷେପ ଗ୍ରହଣ ନ କରିବାରୁ ସେ ପର୍ଯ୍ୟାୟକ୍ରମେ ସିଆରସିସିଙ୍କ ଠାରୁ ଆରମ୍ଭ କରି ଜିଲ୍ଲା ଶିକ୍ଷାଧିକାରୀ, ଏସପି, ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ତତ୍କାଳୀନ ଜିଲ୍ଲାପାଳ ଅଭିଯୋଗର ତଦନ୍ତ କରିବାକୁ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଦାୟିତ୍ବ ଦେଇଥିଲେ । 2013ରେ ଅକ୍ଟୋବର 27ରେ ଜଣେ ନୀଳ ଜିନ୍ସ ପ୍ୟାଣ୍ଟ ଓ ଧଳା ସାର୍ଟି ପିନ୍ଧି ଦୁର୍ବୃତ୍ତ ବିଦ୍ୟାଳୟ ପରିସରରେ ରହୁଥିବା ଇତିଶ୍ରୀଙ୍କ ରୁମ ଭିତରେ ପଶି କିରୋସିନ ଢାଳି ନିଆ ଲଗାଇ ଦେଇଥିଲେ । ଫଳରେ ତାଙ୍କ ଶରୀର 80 ଭାଗ ପୋଡି ଯାଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲା । 2013 ନଭେମ୍ବର 1 ଇତିଶ୍ରୀଙ୍କ ବିଶାଖାପାଟଣାରେ ମୃତ୍ୟୁ ଘଟିଥିଲା । ଏହି ଘଟଣାରେ ରାଜ୍ୟ ସରକାର କ୍ରାଇମବ୍ରାଞ୍ଚ ତଦନ୍ତର ନିର୍ଦ୍ଦେଶ ଦେଇଥିଲେ । ପରେ ଏକ ଜନସ୍ବାର୍ଥ ମାମଲା ଆଧାରରେ ସୁପ୍ରିମକୋର୍ଟ ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।

ଇତି ମଧ୍ୟରେ ରାୟଗଡା ଜିଲ୍ଲା ଦୌରାଜଜ୍ ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଭିତ୍ତି କରି ଏପ୍ରିଲ ୨୬, ୨୦୧୬ ରେ ନେତ୍ରାନନ୍ଦଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିଲେ। ନେତ୍ରାନନ୍ଦ ଏହା ବିରୁଦ୍ଧରେ ହାଇକୋର୍ଟ ଏବଂ ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସିବିଆଇ ୧୮ ଥର ରାୟଗଡ଼ା ଗସ୍ତରେ ଆସି ଶହେରୁ ଉର୍ଦ୍ଧ୍ବ ଲୋକଙ୍କୁ ଜେରା କରିଥିଲା। ଏପରିକି ନୀଳ ଜିନ୍ ପ୍ୟାଣ୍ଟ୍ ପିନ୍ଧା ହତ୍ୟାକାରୀଙ୍କୁ ଧରାଇଦେଲେ ଦୁଇ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା। ହେଲେ କୌଣସି ଥଳକୂଳ ପାଇନଥିଲା ସିବିଆଇ। ୨୦୧୭ ନଭେମ୍ବର ୧୮ରେ ସିବିଆଇ ତଦନ୍ତ ରିପୋର୍ଟ ସୁପ୍ରିମ କୋର୍ଟ ନିକଟରେ ଦାଖଲ କରିଥିଲେ। ସିବିଆଇ ରିପୋର୍ଟକୁ ଆଧାର କରି ସୁପ୍ରିମ କୋର୍ଟ ନଭେମ୍ବର ୨୪, ୨୦୧୭ ରେ ଇତିଶ୍ରୀ ମାମାଲାକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ସବୁଠାରୁ ବଡ କଥା ଇତିଶ୍ରୀ ହତ୍ୟା ମାମଲାରେ ନେତ୍ରାନନ୍ଦ ଏକ ଅସମାହିତ ପ୍ରଶ୍ନ ହୋଇ ରହିଗଲା ।

ରାୟଗଡାରୁ ରଞ୍ଜନ ନାଥ, ଇଟିଭି ଭାରତ

Last Updated : Aug 18, 2020, 11:48 AM IST

ABOUT THE AUTHOR

...view details