ରାୟଗଡ଼ା:ରାୟଗଡ଼ା ସହରର ଏକ ସୁନା ଗହଣା ସୋ'ରୁମରେ ଚଢାଉ । ଟିକସ ଫାଙ୍କିବା ଅଭିଯୋଗରେ ଚଢାଉ କରାଯାଇଥିବା କୁହାଯାଉଛି । ସୂଚନା ଅନୁସାରେ, ସାବିତ୍ରୀ ଜୁଏଲର୍ସ ନାମକ ଏକ ସୁନା ଗହଣା ଦୋକାନରେ ଆୟକର ବିଭାଗ ଚଢ଼ାଉ କରିଛି । ଆୟକର ଫାଙ୍କିବା ଅଭିଯୋଗରେ ଏହି ଚଢ଼ାଉ ହୋଇଥିବା ସୂଚନା ମିଳିଛି । ଏହାକୁ ରୁଟିନ ଚେକ୍ କରାଯାଉଥିବା କହି ସଫେଇ ଦେଇଛନ୍ତି ଦୋକାନ ମାଲିକ କିନ୍ତାଲି ଅମରନାଥ । ଆଜି ଦିନ ୧୧ଟା ସମୟରୁ ଏହି ଚଢ଼ାଉ ଆରମ୍ଭ ହୋଇଛି । ରାୟଗଡ଼ା, ଭବାନୀପାଟଣା ଓ ଜୟପୁର ସ୍ଥିତ ଆୟକର ବିଭାଗର ଅଧିକାରୀ ମିଳିତ ଭାବେ ଏହି ଚଢ଼ାଉ କରିଛନ୍ତି ।
ତେବେ ଏହି ସୁନା ଓ ରୂପା ଅଳଙ୍କାର ଦୋକାନ ନାଁରେ କ'ଣ ଅଭିଯୋଗ ପାଇଥିଲେ ଆୟକର ଅଧିକାରୀ ତାହା ସ୍ପଷ୍ଟ ହୋଇନାହିଁ । ହେଲେ ବ୍ୟାପକ ଆୟକର ଫାଙ୍କିବା ଅଭିଯୋଗରେ ଚଢ଼ାଉ ହୋଇଥିବା ସୂଚନା ମିଳିଛି । କେବଳ ସୁନା ଦୋକାନ ନୁହେଁ, ତାଙ୍କ ମାଲିକାନାରେ ଥିବା ଦୁଇଟି ରାଇସ ମିଲ, ଲଜ୍ ସାଙ୍ଗକୁ ବାସଭବନରେ ମଧ୍ୟ ଚଢାଉ ଜାରି ରହିଛି । ତେବେ ସନ୍ଧ୍ୟା 7ଟା ସୁଦ୍ଧା ଚଢାଉ ଜାରି ରହିଥିବାବେଳେ ଏଯାଏଁ ଆୟକର ବିଭାଗ ପକ୍ଷରୁ କୌଣସି ସୂଚନା ମିଳିପାରିନାହିଁ । ତେବେ ସମ୍ପୃକ୍ତ ଜୁଏଲର୍ସ ଦୋକାନର ମାଲିକ କିନ୍ତାଲି ଅମରନାଥ ବିଭିନ୍ନ ସମୟରେ ଆୟକର ଠକୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା ।
ଏହା ମଧ୍ୟ ପଢନ୍ତୁ...ଟିକସ ଫାଙ୍କିବା ଅଭିଯୋଗରେ ମଦ ଫ୍ୟାକ୍ଟ୍ରି ଉପରେ ଚଢାଉ