ରାୟଗଡା: ଚିକିତ୍ସାଧୀନ ଅବସ୍ଥାରେ ହାତ କାଟି ଆତ୍ମହତ୍ୟା କଲେ କୋରୋନା ଆକ୍ରାନ୍ତ । ଏଭଳି ଏକ ଘଟଣା ଘଟିଛି ରାୟଗଡ଼ା ଜିଲ୍ଲା ଜେକେପୁର କୋଭିଡ ସ୍ବାସ୍ଥ୍ୟକେନ୍ଦ୍ରରେ । ସୋମବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ କରୋନା ଆକ୍ରାନ୍ତ ଅଭିମନ୍ୟୁ ଗରଡ଼ିଆ ହାତ କାଟି ଆତ୍ମ ହତ୍ୟା କରିଛନ୍ତି। ଆତ୍ମହତ୍ୟା କରିଥିବା ଅଭିମନ୍ୟୁଙ୍କ ଘର କଲ୍ୟାଣସିଂହପୁର ବ୍ଲକର କରଞ୍ଜ ଗ୍ରାମରେ । ଚାନ୍ଦିଲି ପୋଲିସ ମୃତଦେହ ଜବତ କରି ମୃତଦେହ ବ୍ୟବଚ୍ଛେଦ କରିବା ପରେ ପରିବାର ଲୋକଙ୍କ ଉପସ୍ଥିତରେ ଶେଷକୃତ୍ୟ ସଂପନ୍ନ ହୋଇଛି । ଏଥି ସହ ପରିବାର ଲୋକଙ୍କ ବୟାନ ରେକର୍ଡ କରିଛି ପୋଲିସ ।
ମିଳିଥିବା ସଚନା ଅନୁଯାଇ କଲ୍ୟାଣସିଂପୁର ବ୍ଲକ କରଞ୍ଜ ଗ୍ରାମର ଅଭିମନ୍ୟୁ ଗତ ୨୦ ତାରିଖରେ କୋରୋନାରେ ଆକ୍ରାନ୍ତ ହୋଇଥିଲେ। ଚିକିତ୍ସା ପାଇଁ ଅଭିମନ୍ୟୁ ୨୧ତାରିଖରେ ଜେକେପୁର ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ। ଧୀରେ ଧୀରେ ଅଭିମନ୍ୟୁ ସୁସ୍ଥ ହୋଇ ଆସୁଥିବା ବେଳେ ପାରିବାରିକ ବିବାଦ କିମ୍ବା ଅନ୍ୟ କୌଣସି କାରଣ ପାଇଁ ସୋମବାର ସନ୍ଧ୍ୟାରେ ମାନସିକ ଭାରସାମ୍ୟ ହରାଇଥିଲେ । ପରିବାର ଲୋକଙ୍କ ସହ ସନ୍ଧ୍ୟାରେ ଅଭିମନ୍ୟୁ ଫୋନରେ କଥା ମଧ୍ୟ ହୋଇଥିଲେ। ରାତି ପ୍ରାୟ ୧୨ଟାରେ ଅଭିମନ୍ୟୁ ୱାର୍ଡରୁ ବାହାରକୁ ଆସି କାନ୍ଥରେ ଲାଗିଥିବା ଏକ ଭଙ୍ଗା ଟାଇଲରେ ଦୁଇ ହାତର ଶିରାକୁ କାଟି ଦେଇଥିଲେ।