ରାୟଗଡା: ଗରମ ତେଲ କଡେଇରେ ନିଆଁ ଲାଗି ହୋଟେଲ ମାଲିକଙ୍କ ମୃତ୍ୟୁ । ରାୟଗଡା ଚନ୍ଦ୍ରପୁର ବ୍ଲକ ଅନ୍ତର୍ଗତ ହନୁମନ୍ତପୁର ଗ୍ରାମରେ ଏପରି ଅଭାବନୀୟ ଘଟଣା ଘଟିଛି । ଚନ୍ଦ୍ରପୁର ଥାନା ଅନ୍ତର୍ଗତ ହନୁମନ୍ତପୁର ଗାଁର ଜଳଖିଆ ଦୋକାନୀ ପ୍ରଭାସ ସାହୁଙ୍କ ମୃତ୍ୟୁ ଘଟିଛି ।
ସୂଚନାନୁଯାୟୀ, ପ୍ରଭାସ ସାହୁ ଭୋରୁଭୋରୁ ନିଜ ଦୋକାନ ଖୋଲି ଗ୍ରାହକଙ୍କ ପାଇଁ ଜଳଖିଆ ପ୍ରସ୍ତୁତିରେ ଲାଗି ପଡିଥିଲେ । ହେଲେ କିଏ ଜାଣିଥିଲା ସେ ଆଜି ଗ୍ରାହକଙ୍କ ପାଇଁ ଶେଷ ଜଳଖିଆ ପ୍ରସ୍ତୁତି କରିବେ । ସବୁଦିନ ଭଳି ପୁରୀ ଛାଣିବା ସମୟରେ ହଠାତ ତେଲ କଡେଇରେ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ନିଆଁ ସମଗ୍ର ଦୋକାନକୁ ବ୍ୟାପିଯାଇଥିବା ବେଳେ ହୋଟେଲ ମାଲିକ ପ୍ରଭାସ ସାହୁଙ୍କ ଦେହରେ ମଧ୍ୟ ନିଆଁ ଲାଗିଯାଇଥିଲା । ଫଳରେ ସେ ପୋଡ଼ିଯାଇ ପ୍ରାଣ ବିକଳରେ ରାସ୍ତାକୁ ଦୌଡି ଆସି ଚିତ୍କାର କରିଥିଲେ । ଦୋକାନ ନିକଟରେ ଥିବା ଲୋକେ ତୁରନ୍ତ ପହଞ୍ଚି ପ୍ରଭାସଙ୍କୁ ଉଦ୍ଧାର କରିଥିଲେ ।
ସ୍ଥାନୀୟ ସରପଞ୍ଚ ନୀଳମାଇ ଦିବାକା ସାଙ୍ଗେ ସାଙ୍ଗେ ଦମକଳ ବାହିନୀ ଓ 108 ଆମ୍ବୁଲେନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ଦମକଳ କିମ୍ବା 108 ଆମ୍ବୁଲେନ୍ସ ଗାଡି ନ ଆସିବାରୁ ଅନ୍ୟ ଗାଡି ବ୍ୟବସ୍ଥା କରି ବିଷମକଟକ ଖ୍ରୀଷ୍ଟିଆନ ହସ୍ପିଟାଲକୁ ଗୁରୁତର ଅବସ୍ଥାରେ ପ୍ରଭାସଙ୍କୁ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।